ପରୀକ୍ଷା ପୂର୍ବରୁ ପଦାରେ ବୁଲିଲା ପ୍ରଶ୍ନପତ୍ର: ପରୀକ୍ଷାରୁ ବଞ୍ଚିତ ହେଲେ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ

376

କନକ ବ୍ୟୁରୋ: ଆରମ୍ଭ ହେବାର ୨୦ ମିନିଟ ପରେ ପରୀକ୍ଷା ବନ୍ଦ ହେବାରୁ ଛାତ୍ର ଛାତ୍ରୀଙ୍କ ନାରାବାଜି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୦୫ କଲେଜରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବାରୁ ଅଧାରୁ ବାତିଲ ହେଲା ଏଜୁକେସନ ଅନର୍ସ ବିଷୟରେ ପରୀକ୍ଷା । ଫଳରେ ହଇରାଣ ହେଲେ ପାଖାପାଖି ୫ ହଜାର ଛାତ୍ରଛାତ୍ରୀ । ବୁଧବାରଠାରୁ ସମ୍ବଲପୁର ବରଗଡ ସହ ଅନ୍ୟାନ୍ୟ ସ୍ଥାନରେ ଘୂରି ବୁଲୁଥିଲା ଏହି ପ୍ରଶ୍ନପତ୍ର । ଗୁରୁବାର ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରକୃତ ପ୍ରଶ୍ନପତ୍ର ସହ ଏହା ସମାନ ଥିବା ଜଣା ପଡିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି । ଯାହାକୁ ନେଇ ବିଭିନ୍ନ କଲେଜରେ ଅସନ୍ତୋଷ ଦେଖାଯାଇଛି ।

ଗରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଶ୍ନପତ୍ର ତିଆରି କରିଥିବା ପ୍ରଫେସର ଏହା ପ୍ରଘଟ ହେବା ପଛର କାର୍ପୋଟଦାର ବୋଲି କୁହାଯାଉଛି । ଘଟଣାର ତଦନ୍ତ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ୩ ଜଣିଆ କମିଟି ଗଠନ କରି କରିଛନ୍ତି । ଆସନ୍ତା ଦୁଇ ତିନି ଦିନ ଭିତରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ସନ୍ଦେହ ଘେରରେ ଥିବା ପ୍ରଫେସରଙ୍କୁ ସମସ୍ତ ପ୍ରକାର ପରୀକ୍ଷା ସମ୍ପର୍କିତ କାର୍ଯ୍ୟରୁ ବାଦ ଦିଆଯାଇଥିବା କହିଛନ୍ତି କର୍ତୃପକ୍ଷ ।