ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ସର୍ତକ ରହିବାକୁ ଏସଆରସିଙ୍କ ପରାମର୍ଶ । କାଲି ପୁଣି ମୁଣ୍ଡଳୀରେ ପଶିବ ବନ୍ୟାଜଳ ।

472

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଆସିବା ପରେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜଳସମ୍ପଦ ବିଭାଗର ଦୁଇ ଉପରିସ୍ଥ ଯନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତିକୁ ନେଇ ଆଲୋଚନା ହୋଇଛି । ତେବେ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, ଏବେ ସୁଦ୍ଧା ବନ୍ୟା କାରଣରୁ ୪ଟି ଘାଇ ହୋଇଛି । ଆଜି ଗୋପର ଖଣ୍ଡ୍ରୁଆକୁଦ ଓ ରାହାମର ତେରମାଣପୁର ଘେରିବନ୍ଧରେ ଘାଇ ହୋଇଛି । ଅନ୍ୟ ସବୁ ସ୍ଥାନରେ ବନ୍ୟା ଜଳ ପଶି ଯାତାୟତକୁ ପ୍ରଭାବିତ କରିଛି । ସ୍ଥିତିରେ ସୁଧାର ଆସିଲେ ତୁରନ୍ତ ଘାଇକୁ ବନ୍ଦ କରାଯିବ ବୋଲି ଏସଆରସି କହିଛନ୍ତି ।

ବନ୍ୟା କାରଣରୁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପ୍ରଶାସନ । ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ ଏହି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ୨୦୧୧ ପରେ ଏତେ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କିଛି ନଦୀ ଆଖପାଖ ଅଞ୍ଚଳରେ ଘଳିଆ ଦେଖିବାକୁ ମିଳିଛି ।

ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ୨୪ ଘଣ୍ଟା ମଧ୍ୟରେ ବନ୍ୟାଜଳ ସମୁଦ୍ରରେ ପହଞ୍ଚିବା ସହ ନଦୀରୁ ଜଳସ୍ତର କମିବ । ସକାଳୁ ମୁଣ୍ଡଳିରେ ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ଜଳସ୍ତର କମିବା ଆରମ୍ଭ ହୋଇଛି । ବୈତରଣୀ ନଦୀ ଅବବାହିକାରେ ଥିବା କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ବଡ଼ ବନ୍ୟା ନହେଲେ ମଧ୍ୟ ଲଘୁଚାପ କାରଣରୁ ନଦୀରେ ଜଳସ୍ତର ବୃଦ୍ଧି କରିବ । କିନ୍ତୁ ଏହା ବନ୍ୟା ଆଶଙ୍କା ଏଯାଏଁ ସୃଷ୍ଟି କରିନାହିଁ । ବ୍ରାହ୍ମଣୀରେ ଏଯାବତ ବନ୍ୟା ଆଶଙ୍କା ଉପୁଜିନାହିଁ । କାରଣ ରେଙ୍ଗାଲି ଡ୍ୟାମରେ ଜଳସ୍ତର ସେତେ ବୃଦ୍ଧି ପାଇନାହିଁ । କେବଳ ମହାନଦୀ ବେଲ୍ଟରେ ବର୍ଷା ଦେଖିବାକୁ ମିଳିବ । ସେହିଭଳି ମହାନଦୀର ଉପରମୁଣ୍ଡରେ ୧୯ ତାରିଖ ରାତିରୁ ୨୦ ତାରିଖ ସକାଳ ଯାଏଁ ମଧ୍ୟମ ଧରଣର ବର୍ଷା ହେବ । ସେଥିପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପର୍ଯ୍ୟାପ୍ତ କୀଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କୀଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପିକ୍ ଫ୍ଲଡ ଅତିକ୍ରମ କଲା ବେଳେ କୂଳ ଖାଇବାର ସମ୍ଭାବନା ଅଧିକ ଥିବାରୁ କଟକ, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁରକୁ ଆଜି ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସର ଅତିରିକ୍ତ ଟିମ ପଠାଯାଇଛି । ବନ୍ୟାଜଳ କମିବା ମାତ୍ରେ ଟ୍ୱିବୱେଲ ଓ ପାନୀୟ ଜଳକୁ ବିଶୋଧନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗୋଖାଦ୍ୟ ମଧ୍ୟ ପ୍ରଭାବିତ ଜିଲ୍ଲା ଗୁଡିକୁ ପଠାଯାଉଛି । ପାଣି ଛାଡିବା ମାତ୍ରେ ଆବଶ୍ୟକ ଅନୁସାରେ ରିଲିଫ ମଧ୍ୟ ଯୋଗାଇ ଦିଆଯିବ ବୋଲି ଏସଆରସି କହିଛନ୍ତି ।

ବନ୍ୟା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ବୁଡିଛି । ଯେହେତୁ ପୁଣିଥରେ ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଛି ତେଣୁ ଏହାର ଜଳ ମଧ୍ୟ ଆସନ୍ତାକାଲି ମୁଣ୍ଡଳି ଠାରେ ପହଞ୍ଚିବ । ଏବେ ଏହି ବନ୍ୟା ଜଳ ଖଇରମାଳ ଠାରେ ପହଞ୍ଚିଛି । ଆସନ୍ତାକାଲି ୧୦ ଲକ୍ଷରୁ କମ ପାଣି ପାସ୍ କରିବ । ଦୀର୍ଘ ୬ରୁ ୮ ଘଣ୍ଟା ଏହି ଟ୍ରେଣ୍ଡରେ ବନ୍ୟାଜଳ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି ।