ତାଳଦଣ୍ଡା: ଗୋଟେ କେନାଲର କାହାଣୀ… ଦିନେ ନାକ ଟେକୁଥିଲେ ଲୋକ, ଆଜି କିମିଆ କରୁଛି କେନାଲ ।

8,504

କନକ ବ୍ୟୁରୋ:

  • କଟକରେ କେରଳ ଓ କାଶ୍ମୀରର ଅନୁଭବ
  • କେନାଲ ଉପରେ ବୋଟିଂର ମଜା
  • ସଞ୍ଜ ହେଲେ ଜମୁଛି କଟକିଆଙ୍କ ଭିଡ

ତଳେ ପାଣି, ଉପରେ ବୋଟ୍ । ନା ଇଏ ନଦୀ ନା ଇଏ ସମୁଦ୍ର । ସୁଦୀର୍ଘ କେନାଲରେ ସୁଖଦାୟକ ନୌକାବିହାର । ଅସ୍ତଗାମୀ ଅପରାହ୍ଣ ଆଉ ନଇଁ ଆସୁଥିବା ସଞ୍ଜ ମଝିରେ ଏ ମନମୁଗ୍ଧକର ମୁହୂର୍ତ୍ତକୁ ଉପଭୋଗ କରିବାକୁ ପାଣି ଉପରେ ଲାଗୁଛି କଟକିଆଙ୍କ ଭିଡ । କେରଳ କେନାଲରେ ବୋଟିଂର ଭ୍ରମ ସୃଷ୍ଟି କରୁଥିବା ଏ ଦୃଶ୍ୟ ଯେ ଆମ କଟକ ତାଳଦଣ୍ଡା କେନାଲର ତାହା କେହି ବିଶ୍ୱାସ କରିପାରୁ ନଥିବେ । ଦିନରେ ଯେତିକି ସୁନ୍ଦର ଲାଗେ ତାଳଦଣ୍ଡା କେନାଲ ସଞ୍ଜ ବୁଡି ରାତି ଆସିଲେ ଅନ୍ଧାରରେ ଆହୁରି ରୋମାଣ୍ଟିକ ଲାଗେ କେନାଲର କାନଭାସ । ସତେକି କଟକର କାନ୍ଥରେ ପ୍ରକୃତି ଆଙ୍କି ଦେଇଛି ଗୋଟେ ମନଲୋଭା ଚିତ୍ର ।

ରୂପାନ୍ତରଣର ସ୍ପର୍ଶରେ କଟକର ଗୋଟେ ପରେ ଗୋଟେ ରୂପ ବଦଳୁଥିବା ବେଳେ ତାଳଦଣ୍ଡା କେନାଲର ହୋଇଛି କଳେବର । ପୁରୁଣା ଓ ପରିତ୍ୟକ୍ତ ଅନୁଭୂତିକୁ ଅତୀତ କରି କଟକ ଇତିହାସରେ ସରକାର ଯୋଡିଛନ୍ତି ନୂଆ ଫର୍ଦ୍ଦ । ତାଣ୍ଡଦଣ୍ଡା କେନାଲ ନୂଆ ରୂପ ପାଇବା ପରେ ଖାଲି କଟକବାସୀ ନୁହଁନ୍ତି ସମସ୍ତଙ୍କ ପାଇଁ ଏକ ନିଆରା ସୁଯୋଗ ସୃଷ୍ଟି ହୋଇଛି । ଶବ୍ଦହୀନ ଶିକାରା ବୋଟକୁ ରଙ୍ଗୀନ ଲାଇଟରେ ସଜେଇ ନୌକାବିହାର କରାଯାଉଛି । ଯେଉଁଥିରେ ମ୍ୟୁଜିକ୍ ସିଷ୍ଟମ୍ ବି ରହିଛି । ୪ ଜଣ ବସିବାର କ୍ଷମତା ରଖିଥିବା ଏହି ବୋଟରେ ବସି ଖାଦ୍ୟ ପାନୀୟର ମଜା ନେଇ ଯୋବ୍ରା ପାଖରୁ ରାଣୀହାଟ କ୍ଲକ୍ ଟାୱାର ଯାଏଁ ବୁଲୁଛନ୍ତି ପର୍ଯ୍ୟଟକ । ତେବେ ଏଠାରେ ଥିବା ବ୍ୟଞ୍ଜନ ପାର୍କ ଭିତରକୁ ପ୍ରବେଶ ପାଇଁ ୨୦ ଟଙ୍କା ଥିବା ବେଳେ ବୋଟିଂ ପାଇଁ ଜଣକୁ ୨୦୦ ଟଙ୍କାର ଟିକଟ ବ୍ୟବସ୍ଥା ଅଛି ।

ରାଜ୍ୟର ଦୀର୍ଘତମ କେନାଲ ହେଉଛି ତାଳଦଣ୍ଡା କେନାଲ । ୧୮୬୯ ମସିହାରେ ଇଂରେଜ ଶାସନ ସମୟରେ ଏହି କେନାଲ କରାଯାଇଥିବା ବେଳେ ଏହା ଅନେକ ଇତିହାସର ସାକ୍ଷୀ । ଏଇ କେନାଲରେ କେମିତି ମାଲ ପରିବହନ ଓ ଦୈନନ୍ଦୀନ ଜୀବନ ଜୀବିକା ନିର୍ଭରଶୀଳ ଥିଲା ତାହା ଅତୀତର ଏ ଫଟୋ ହିଁ ବୟାନ କରୁଛି । ତେବେ କଟକର ତାଳଦଣ୍ଡା ଅନେକ କରୁଣ, କୁତ୍ସିତ, କଦର୍ଥ କଥା ଓ କାହାଣୀର ମୁକସାକ୍ଷୀ । ଏଇ କେନାଲରେ ପହଁରି କେତେ କେତେ ପିଲାଦିନ କଟିଛି । ଏଇ କେନାଲରେ ବି ବଡ ମେଡିକାଲର ସାଲାଇନ ବୋତଲ, ପୂଜରକ୍ତ ଭିଜା ଗଜ କନା ପଡିଛି । ଛତ୍ରବଜାରର ପଚା ପରିବା ହେଉ କି ମାଲଗୋଦାମର ଆବର୍ଜନା- ତାଳଦଣ୍ଡା ନିଜ ଗର୍ଭ ଭିତରକୁ ସବୁକିଛି ନିଶଂକୋଚରେ ଟାଣି ନେଇଛି । ଏଇ କେନାଲରେ କୁଆଁରୀଟିଏ ଭସେଇ ଦେଇଛି ନିଜ ଅବାଞ୍ଚିତ ଭ୍ରୁଣ । କଳା ମଚମଚ ପାଣିରେ ଭାସି ଯାଇଛି ପ୍ରେମିକାର ଓଢଣୀ, ଭାସି ଯାଇଛି ବି ଅନେକ ଅଚିହ୍ନା ଅଜଣା ଶବ । ଆଉ ପଚାପାଣିରେ ବତୁରି ଯାଇଛି ରେଭେନ୍ସା ପିଲାଙ୍କ ପ୍ରେମର ଚିଠି ଓ ପ୍ରତାରଣାର ଫେରନ୍ତା ଉପହାର ।

ହେଲେ ଏବେ ବଦଳିଯାଇଛି ସମୟ । କଡ ଲେଉଟାଇଛି ଇତିହାସ । କଟକର ଛାତିରେ ବିଫଳତା, ବିଷର୍ଣ୍ଣତା, ବିରକ୍ତିକର କାହାଣୀ ବଖାଣୁଥିବା ଗୋଟେ କେନାଲର ପୁନର୍ଜନ୍ମ ହୋଇଛି । ଦୁର୍ଗନ୍ଧ ଯୁଗର ଯବନିକା ପଡିବା ପରେ ତାଳଦଣ୍ଡା କେନାଲ ଏବେ କବିତା ଲେଖୁଛି । ଏଠି ଜହ୍ନରାତି ଜଳକ୍ରୀଡା କରୁଛି । ପବନ ପାଣି ପ୍ରେମରେ ପଡି ନୌକାକୁ ଆଗେଇ ନେଉଛି । ଚତୁପାଶ୍ୱର୍ ଚମକି ଉଠିଛି । ଆଉ ସହର ଛାତିରେ କାନ ଡେରି କ୍ଲକ ଟାୱାର ଟିକଟିକ ଶବ୍ଦ ବି କରୁଛି । ତେବେ ଆଉ ଡେରି କାହିଁକି- ଥରେ ବୁଲି ଆସନ୍ତୁ ଐତିହ୍ୟ ସହରରୁ ହାତ ଠାରି ଡାକୁଥିବା ତାଳଦଣ୍ଡା କେନାଲ ।