ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍ ।

135

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଟିମ୍ ଇଣ୍ଡିଆକୁ ଇତିହାସ ରଚିବାକୁ ମାତ୍ର ୭୯ ରନ୍ ଆବଶ୍ୟକ । ଅଥାର୍ତ ମାତ୍ର ୭୯ ରନ୍ କଲେ ଦକ୍ଷିଣ ଆଫ୍ରିକା ମାଟିରେ ବିଜୟୀ ହେବ ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ଏଡେନ ମାରକ୍ରମଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୭୬ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ୭୯ ରନର ସହଜ ବିଜୟଲକ୍ଷ୍ୟ ମିଳିଛି ।

ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ଲାଗିଥିଲା ଝଟକା । ବୁମରା ପ୍ରଥମ ଓଭରରେ ହିଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଲଗାତାର ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିଲେ ମଧ୍ୟ ଅନ୍ୟପଟେ ମାରକ୍ରମ ନିଜର ବ୍ୟାଟିଂ ଷ୍ଟାଇଲକୁ ବଦଳାଇଥିଲେ । ପ୍ରତି ବଲରେ ବଡ ସଟ୍ ଖେଳି ନିଜର ଶତକ ପୂରା କରିଥିଲେ ମାରକ୍ରମ । ତେବେ ମହମ୍ମଦ ସିରାଜ ମାରକ୍ରମଙ୍କ ୱିକେଟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ । ଦ୍ୱିତୀୟ ଇନିଂସରେ ବୁମରା ସର୍ବାଧିକ ୬ଟି ୱିକେଟ ହାତେଇଥିବା ବେଳେ ମୁକେଶ କୁମାର ୨ଟି ଏବଂ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।  ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରି ୯୮ ରନର ଅଗ୍ରଣୀ ନେଇଥିଲା ।