ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । କ୍ଲବ ମାଲିକ ଗିରଫ, ଶୌଚାଳୟରୁ ଜବତ ହେଲା ଡ୍ରଗ୍ସ ।

142

କନକ ବ୍ୟୁରୋ : ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ସୋନାଲି ଫୋଗଟଙ୍କୁ ଯେଉଁ କ୍ଲବରେ ଜୋରଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ତାହାର ମାଲିକଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏପରିକି ପୋଲିସ କ୍ଲବର ଶୌଚାଳୟରୁ ଡ୍ରଗ୍ସ ମଧ୍ୟ ଜବତ କରିଛି । ଏହି ମାମଲାରେ ଏବେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏହାସତ୍ତେ୍ୱ ମଧ୍ୟ କାହିଁକି ସୋନାଲି ଫୋଗଟଙ୍କୁ ହତ୍ୟା କରାଗଲା ତାହା ଉପରୁ ପରଦା ହଟିନି ।

କ୍ଲବ ମାଲିକଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସୁଧୀର ଓ ସୁଖବିନ୍ଦରଙ୍କୁ ଗିରଫ କରିଥିଲା । ଉଭୟ ସୁଧୀର ଓ ସୁଖବିନ୍ଦର ୨୨ ଅଗଷ୍ଟରେ ସୋନାଲିଙ୍କ ସହ ଗୋଆରେ ପହଞ୍ଚିଥିଲେ । ସିସିଟିଭିରେ କଏଦ ହୋଇଥିବା ଫୁଟେଜ ଅନୁଯାୟୀ, କ୍ଲବ ଭିତରେ ସୋନାଲିଙ୍କୁ ସୁଧୀର ବୋଟଲରେ କିଛି ପିଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହାକୁ ବାରଣ କରୁଥିଲେ ସୋନାଲି । ତେବେ ସୁଧୀର ଯେଉଁ ବୋଟଲରେ ପିଇବାକୁ ଦେଉଥିଲେ ସେଥିରେ କିଛି ପଦାର୍ଥ ମିଶାଇଥିବାର କହିଛି ଗୋଆ ପୋଲିସ ।

ସୋନାଲି ଫୋଗଟଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ହତ୍ୟା ମୋକଦ୍ଦମା ରୁଜୁ କରି ପଚରାଉଚରା ଆରମ୍ଭ କରିଥିଲା ଗୋଆ ପୋଲିସ  । ଯେଉଁ ସ୍ଥାନକୁ ସୋନାଲି ଯାଇଥିଲେ ସେଠାରେ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଆଉ ସିସିଟିଭିରୁ ଆସିଥିଲା ସାଂଘାତିକ ସତ । ସୋନାଲି ଫୋଗଟଙ୍କୁ ଜୋର ଜବରଦସ୍ତି ପାନୀୟରେ ଡ୍ରଗ୍ସ ଦିଆଯାଇଥିଲା । ଆଉ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ଶୌଚାଳୟକୁ ନିଆଯାଇଥିଲା । ତେବେ ଶୌଚାଳୟରେ ୨ ଘଣ୍ଟା ସୋନାଲିଙ୍କ ସହ କଣ ହୋଇଥିଲା ତାହା ଏଯାବତ ସ୍ପଷ୍ଟ କରିନାହାନ୍ତି ଅଭିଯୁକ୍ତ । ଏପରିକି ଗୋଆରେ ହୋଇଥିବା ପାର୍ଟିରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ସୋନାଲିଙ୍କ ସହ ଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି କହିଛନ୍ତି ଗୋଆ ପୋଲିସ ଆଇଜି ।

ସୋନାଲିଙ୍କ ମୃତ୍ୟୁକୁ ନେଇ ପ୍ରଥମରୁ ହିଁ ସନ୍ଦେହ ଉପୁଜିଥିଲା । ପରେ ପୋଷ୍ଟମର୍ଟମ ସମୟରେ ତାଙ୍କ ଦେହରେ କ୍ଷତ ଥିବା ଦେଖିବାକୁ ମିଳିଥିଲା । ଏହାଛଡା ସୋନାଲିଙ୍କ ମୃତଦେହ କିଛି ସମୟ ପରେ ନୀଳ ପଡିଯାଇଥିଲା । ଯାହାକୁ ନେଇ ସନ୍ଦେହ ଆହୁରି ଅଧିକ ବଢିଥିଲା ।