ଆଜି ଅଟଳ ବ୍ରିଜ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜାଣନ୍ତୁ ଏହାର ବିଶେଷତ୍ୱ ।

284

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇ ସାବରମତୀ ରିଭରଫ୍ରଣ୍ଟ ନିକଟରେ ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ଆଇକନିକ୍ ଅଟଳ ବ୍ରିଜ୍ (ଫୁଟ୍ ଓଭର ବ୍ରିଜ୍ )କୁ ଉଦଘାଟନ କରିବେ। ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମୋଟ ୭୪.୨୯ ଲକ୍ଷ କୋଟି ଟଙ୍କା ।

ରିପୋର୍ଟ ମୁତାବକ, ଗତ ସପ୍ତାହରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବାବେଳେ ଅହମ୍ମଦାବାଦର ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ସାବରମତୀ ରିଭରଫ୍ରଣ୍ଟ ମଧ୍ୟ ଏକ ଦଶନ୍ଧି ପୂରଣ କରିଛି। ପର୍ୟ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ଏକ ଫୁଟ ଓଭର ବ୍ରିଜ୍ ନିର୍ମାଣ କରି ଆକର୍ଷଣୀୟ କରାଯାଇଛି । ୩୦୦ ମିଟର ସେତୁ ସାବରମତୀ ନଦୀକୂଳର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱକୁ ସଂଯୋଗ କରୁଛି ।

ଏହି ସେତୁରେ ବହୁସ୍ତରୀୟ କାର୍ ପାର୍କିଂସହ ବହୁ ସୁବିଧା ରହିଛି । ଏହା ନଦୀର ପୂର୍ବ ଏବଂ ପଶ୍ଚିମ କୂଳକୁ ଗମନାଗମନକୁ ସୁଗମ କରିବ । ଲୋକମାନେ ପୂର୍ବ ଭାଗରେ ବହୁସ୍ତରୀୟ କାର ପାର୍କିଂ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରୁ ପଶ୍ଚିମ ଭାଗରେ ଫୁଲ ପାର୍କ ଏବଂ ଇଭେଣ୍ଟ ଗ୍ରାଉଣ୍ଡକୁ ସହଜରେ ଯିବାକୁ ସକ୍ଷମ ହେବେ । ଏହି ବ୍ରିଜ୍ ନିର୍ମାଣ ପରେ ଏହି ନଦୀ କୂଳ ଏକ ବିଶେଷ ପର୍ଯ୍ୟଟନ ସ୍ଥଳରେ ପରିଣତ ହେବ । ଅଟଳ ସେତୁ ନିର୍ମାଣ ପାଇଁ ମୋଟ ମୂଲ୍ୟ ୭୪.୨୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଡିସେମ୍ବର ୨୫ ରେ ଏହାର ନାମ ଅଟଳ ବ୍ରିଜ ରଖାଯାଇଥିଲା।