ଶାମୁକାରେ ତିଆରି ହେଉଛି ଘର ସଜ୍ଜା ସାମଗ୍ରୀ । ଧୂପଦାନୀ, ଖେଳନା କଇଁଛ, ପକ୍ଷୀ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା

46

କନକ ବ୍ୟୁରୋ: ଶାମୁକାରେ ତିଆରି ହେଉଛି ଘର ସଜ୍ଜା ସାମଗ୍ରୀ । ବିନା ତାଲିମରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ଲାଭବାନ ହେଉଛନ୍ତି ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହପୁର ଗାଁର ତାରା ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ଏହି ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି । ଘର କାମ ପରେ ମହିଳା ମାନେ ଏକାଠି ହୋଇ ସମୁଦ୍ରରୁ ମିଳୁଥିବା ଶାମୁକାକୁ ସଂଗ୍ରହ କରନ୍ତି । ଏହା ପରେ ତାକୁ ଧୋଇ ଶୁଖାଇ ବଜାରରୁ କିଛି ସାମଗ୍ରୀ ଆଣି ସେଥିରେ ସାମୁକାର ଧୂପଦାନୀ, ଖେଳନା କଇଁଛ, ପକ୍ଷୀ, ଠାକୁରଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରୁଛନ୍ତି ।

୨୦୦୯ରେ ମହିଳା ମାନେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । କିଛି ରୋଜଗାର କରିବା ଆଶାରେ ୨୦୨୨ରୁ ଶାମୁକା କାମ ଆରମ୍ଭ କରିଛନ୍ତି ମହିଳା । ନିଜ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର ନକରି ମହିଳା ମାନେ ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ସାମଗ୍ରୀ ଗୁଡ଼ିକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିବା ସହ ନିକଟସ୍ଥ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରୁଛନ୍ତି ମହିଳା । ଆଖପାଖ ଅଂଚଳରେ ହେଉଥିବା ବିଭିନ୍ନ ମେଳା ମହୋତ୍ସବରେ ମଧ୍ୟ ମହିଳା ମାନେ ଏହାକୁ ବିକ୍ରି କରୁଛନ୍ତି । ମହିଳା ମାନଙ୍କ ଦ୍ୱାରା ଏହି ସାମଗ୍ରୀ ବେଶ ଆକର୍ଷଣୀୟ ହୋଇଥିବାରୁ ଗ୍ରାହକ ଏହାକୁ କିଣି ନେଉଛନ୍ତି ।

ଏସଏଚଜି ମହିଳାଙ୍କୁ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଓ ତାଲିମ ଦିଆଯାଉଛି । ହେଲେ ଏହି ମହିଳାଙ୍କୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ ମିଳିନାହିଁ । ୟୁଟ୍ୟୁବ୍ ଦେଖି ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ ।