ବୀରମହାରାଜପୁରକୁ ମିଳିଲା ଏନଏସି ମାନ୍ୟତା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

155

କନକ ବ୍ୟୁରୋ: ଶେଷରେ ସୁବର୍ଣ୍ଣପୁର ବୀରମହାରାଜପୁରକୁ ମିଳିଲା ଏନଏସି ମାନ୍ୟତା । ବୀରମହାରାଜପୁର ଉପକଣ୍ଠକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତକାଲି ୩୪ଟି ସହରକୁ ଏନଏସି ମାନ୍ୟତା ଦେଇଥିଲେ ରାଜ୍ୟ ସରକାର । ହେଲେ ଦୀର୍ଘ ବର୍ଷର ଦାବି ସତ୍ତେ୍ୱ ବୀରମହାରାଜପୁର ସହର ଏହି ତାଲିକାରୁ ବାଦ୍ ପଡିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଆଜି ବୀରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠାଇଥିଲେ ସ୍ଥାନୀୟ ନେତା ଏବଂ ବନ୍ଦ ପାଳନର କିଛି ଘଣ୍ଟା ପରେ ଏନଏସି ଘୋଷଣା ପ୍ରସଙ୍ଗରେ ପୁନର୍ବିଚାର କରିଛନ୍ତି ରାଜ୍ୟ ସରକାର । ତାଲିକାରେ ବୀରମହାରାଜପୁର ଯୋଡି ହେବା ପରେ ଏନଏସି ତାଲିକା ୩୫ରେ ପହଞ୍ଚିଛି । ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଏନଏସିକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି ।