ନେସଲେ ପରେ ଏବେ ଏଭେରେଷ୍ଟ କମ୍ପାନୀର ମସଲାକୁ ନେଇ ବିବାଦ । ବଜାରରୁ ଏଭେରେଷ୍ଟ ମସଲା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲା ସିଙ୍ଗାପୁର

479

କନକ ବ୍ୟୁରୋ : ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ନେସଲେ କମ୍ପାନୀ ଉତ୍ପାଦ ଉପରେ ପ୍ରଥମ ପ୍ରଶ୍ନ ଉଠିଥିଲା ତ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ମାଛ ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡର ଅଧିକ ପରିମାଣ ଥିବା ଦର୍ଶାଇ ସିଙ୍ଗାପୁର ଏଭଳି ପଦକ୍ଷେପ ନେଇଛି । ଏନେଇ ହଙ୍ଗକଙ୍ଗ ଖାଦ୍ୟ ସୁରକ୍ଷା ବିଭାଗର ଏକ ଅଧିସୂଚନା ଜାରି କରିବା ପରେ ସିଂଗାପୁର ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିରେ ମସଲାରେ ଅଧିକ ପରିମାଣରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା କୁହାଯାଇଛି ।

ସିଂଗାପୁର ଖାଦ୍ୟ ଏଜେନ୍ସି ତାର ଏକ ବୟାନରେ କହିଛି କି, ହଂଗକଙ୍ଗ ସ୍ଥିତ ଖାଦ୍ୟ ସୁରକ୍ଷା କେନ୍ଦ୍ର ତରଫରୁ ଏଭେରେଷ୍ଟ ମାଛ ମସଲାରେ ଏଥିଲିନ ଅକ୍ସାଇଡର ମାତ୍ରା ଅଧିକ ଥିବା ସୂଚନା ଦେଇଥିଲା  । ସିଂଗାପୁର ନିୟମ କ୍ରମରେ ମସଲାର ଗୁଣବତ୍ତା ବୃଦ୍ଧି କରିବାକୁ ସେଥିରେ ଏଥିଲିନ୍ ଅକ୍ସାଇଡ ମିସାଇବାର ପ୍ରାବଧାନ ରହିଛି । ହେଲେ ଏଭେରେଷ୍ଟ ମାଛ ମସଲାରେ ଏହାର ପରିମାଣ ଅଧିକ ରହିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନୀକାରକ ।

ସେପଟେ ସିଙ୍ଗାପୁର ଫୁଡ ଏଜେନ୍ସି କହିଛି କି, ଏହି ମସଲା ଯେଉଁ ଲୋକମାନେ ବ୍ୟବହାର କରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ସେମାନଙ୍କୁ ତୁରନ୍ତ ମେଡିକାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଏକ ସତର୍କ ସୂଚନା ଜାରି କରାଯାଇଛି । ହେଲେ ଏଭେରେଷ୍ଟ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।