କେସିଆରଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ୪୮ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ।

111

କନକ ବ୍ୟୁରୋ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେ ଚନ୍ଦ୍ରଶେଖରଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ଆସନ୍ତା ୪୮ ଘଣ୍ଟା ପାଇଁ କରିପାରିବେନି ନିର୍ବାଚନ ପ୍ରଚାର । କଂଗ୍ରେସର ଅଭିଯୋଗ ଉପରେ ତଦନ୍ତ କରି ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଉ ଆଦର୍ଶ ଆଚରଣ ସଂହିତା ଉଲ୍ଲଙ୍ଘନ ଅଭିଯୋଗରେ କେସିଆର୍ ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ଉପାଧ୍ୟକ୍ଷ ଜି ନିରଞ୍ଜନ ଏପ୍ରିଲ ୬ ତାରିଖରେ କେସିଆରଙ୍କୁ ନେଇ ଏକ ଅଭିଯୋଗ ଦାୟର କରିଥିଲେ । କେସିଆର୍ କଂଗ୍ରେସକୁ ନେଇ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ । ଏ ଅଭିଯୋଗର ଯାଞ୍ଚ କରିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଏକ ରିପୋର୍ଟ ଦେଇଥିଲେ । ଆଉ ଏହି ରିପୋର୍ଟ ଆଧାରରେ କେସିଆରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।

ତେବେ କେସିଆର୍ କିନ୍ତୁ ଏହି ଅଭିଯୋଗକୁ ଖାରଜ କରିଥିଲେ । କଂଗ୍ରେସ ତାଙ୍କ ତେଲୁଗୁ ଭାଷଣକୁ ଇଂରାଜୀ ଅନୁବାଦ କରି ଦାଖଲ କରିଛି ବୋଲି ସେ କହିଥିଲେ । ହେଲେ ନିର୍ବାଚନ ଆୟୋଗ କିନ୍ତୁ କେସିଆରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେ ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କହିଛନ୍ତି ।