ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରି ଆଦିବାସୀ ବିରୋଧୀର ପ୍ରମାଣ ଦେଇଛି ବିଜେପି

162

କନକ ବ୍ୟୁରୋ : ରାମ ମନ୍ଦିର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କୁ କାହିଁକି ଡକାଯାଇ ନଥିଲା ବୋଲି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ପ୍ରଶ୍ନ କରିଛନ୍ତି ରାହୁଲ । ଆଦିବାସୀ ହୋଇଥିବା କାରଣରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇନଥିବା କଥା କହି ବର୍ଷିଛନ୍ତି ରାହୁଲ । ସେ ଆହୁରି ମଧ୍ୟ କହିଛନ୍ତି, କେବଳ ରାଷ୍ଟ୍ରପତି ନୁହଁନ୍ତି ଜଣେ ବି ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା । ସିନେ କଳାକାରଙ୍କ ସହ ଦେଶର ଧନୀ ପରିବାର ଓ ଭିଭିଆଇପି ମାନେ ହିଁ ଏଠାକୁ ଆମନ୍ତ୍ରିତ ହୋଇଥିଲେ । ସେହିପରି ନୂଆ ସଂସଦ ଭବନ ଲୋକାର୍ପଣ ସମୟରେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ରାହୁଲଙ୍କ ବୟାନ ଉପରେ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ । କଂଗ୍ରେସ ସାଂସଦଙ୍କ ଏହି ବୟାନ ମିଛ, ନିରାଧାର ଓ ଭ୍ରମାତ୍ମକ; ସମାଜରେ ମତଭେଦ ସୃଷ୍ଟି କରିବାକୁ ସେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ରାମ ଲାଲାଙ୍କର ଏହି ଭବ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ ମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ଡକାଯାଇଥିଲା ବୋଲି ଚମ୍ପତ ରାୟ କହିଛନ୍ତି । ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାହୁଲଙ୍କୁ ଘେରିଛି ।

ଏସବୁ ମଧ୍ୟରେ ଅଯୋଧ୍ୟା ଗସ୍ତରେ ଆସି ପ୍ରଭୁ ରାମ ଲାଲାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।