ପୁଲିସକୁ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଭର୍ତ୍ତୃହରିଙ୍କ ଓକିଲ । ଏପ୍ରିଲ ୩୦ରେ ପରବର୍ତ୍ତୀ ଶୁଣାଣି ।

235

କନକ ବ୍ୟୁରୋ: ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମାମଲା । ଆଇନଜୀବୀଙ୍କ ଜରିଆରେ ଅଦାଲତରେ ହାଜର ହୋଇଛନ୍ତି କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ । ଭର୍ତ୍ତୃହରିଙ୍କ ଓକିଲ ଆଫ୍ରୋଜ ଅହମ୍ମଦଙ୍କ ଜରିଆରେ ଘଟଣା ସଂପର୍କରେ ତଥ୍ୟ ରଖିଛନ୍ତି । ସେପଟେ କଟକ ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ଅମିତାଭ ମହାପାତ୍ର । ଆଜି ଉଭୟ ପକ୍ଷଙ୍କ ସାକ୍ଷ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।

୨୦୧୧ ମସିହାରେ କଟକ ଜାନକୀନାଥ ଭବନରେ ଏକ କାର୍ଯ୍ୟକ୍ରମ ସମୟରେ ସାଂସଦ ଭର୍ତ୍ତୃହରି ମହତାବ ଓ ଅମିତାଭ ମହାପାତ୍ରଙ୍କ ମଧ୍ୟରେ ଘଟିଥିଲା ବିବାଦ । ସେତେବେଳେ ସେଠାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଅମିତାଭଙ୍କୁ ଭର୍ତ୍ତୃହରି ଦୁର୍ବ୍ୟବହାର ମାରିିଥିବା ନେଇ ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା । ପରେ ମାମଲା କୋର୍ଟରେ ପହଂଚିଛି । ଏହି ମାମଲାରେ କଟକ ଜେଏମଏଫସି କୋର୍ଟରେ ଚାର୍ଜ ଫ୍ରେମ୍ ହେବା ପରେ ଆଜି ଦୁଇ ପକ୍ଷଙ୍କୁ କୋର୍ଟରେ ହାଜର ହେବା ପାଇଁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ । ଆଜି ଭର୍ତୃହରିଙ୍କ ଓକିଲ ଓ ଅମିତାଭ କୋର୍ଟରେ ହାଜର ହୋଇଥିବା ବେଳେ ଏପ୍ରିଲ ୩୦ ତାରିଖରେ ପରବର୍ତୀ ଶୁଣାଣି ହେବ । ସେପଟେ ଭର୍ତ୍ତୃହରିଙ୍କ ଓକିଲ କହିଛନ୍ତି, ଏହି ମାମଲାକୁ ଯୋଗୁଁ ଭର୍ତ୍ତୃହରିଙ୍କ ନିର୍ବାଚନ ପ୍ରଭାବିତ ହେବାର ନାହିଁ । ନିର୍ବାଚନ ଲଢିବାରେ କୌଣସି ସମସ୍ୟା ହେବ ନାହିଁ ।