ହିନ୍ଦୁ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ହିନ୍ଦୁ ବିବାହ ଏକ ସଂସ୍କାର । କେବଳ ନାଚ,ଗୀତ ଭୋଜିର ଅବସର ନୁହେଁ

868

କନକ ବ୍ୟୁରୋ : ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସାତଫେରା ବିନା ବିବାହ ନୁହେଁ ବୈଧ । ହିନ୍ଦୁ ବିବାହ ଏକ ସଂସ୍କାର, ଏହା ନୃତ୍ୟ ସଙ୍ଗୀତ କିମ୍ବା ଭୋଜିଭାତର ଅବସର ନୁହେଁ । କେବଳ ସାତଫେରା କାହିଁକି ଛୋଟ ଛୋଟ ନୀତି ନିୟମ ମଧ୍ୟ ପାଳନ କରିବାକୁ ହେବ, ନହେଲେ ଏହି ବିବାହକୁ କେବେ ବୈଧ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ଏହାକୁ ବୈଧ ଘୋଷଣା କରିବା ନିମନ୍ତେ ଆଇନଗତ ଆବଶ୍ୟକତା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ବିବାହ ହେଉଛି ଭାରତୀୟ ହିନ୍ଦୁ ସମାଜର ଏଭଳି ଏକ ମହତ୍ୱପୂର୍ଣ୍ଣ ଆୟୋଜନ, ଯେଉଁଠି ଉଭୟ ପତି-ପତ୍ନୀ ସାରା ଜୀବନ ଏକାଠି ରହିବାର ପ୍ରତିଜ୍ଞା ନେବା ସହ ପରିବାର ପ୍ରତି ଦାୟିତ୍ୱ ପାଳନ କରିଥାନ୍ତି । ଆଜି କାଲିର ଯୁବକ ଯୁବତୀ ମାନେ ଏହାର ମୂଲ୍ୟବୋଧକୁ ଜାଣିବା ସହିତ ବିବାହର ପ୍ରତ୍ୟେକଟି ପରମ୍ପରାକୁ ପାଳନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।