ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ: କହିଲେ, ବିଜେଡି ସଂଗଠନକୁ ସୁଦୃଢ କରିବାକୁ କାମ କରିବି

1,144

କନକ ବ୍ୟୁରୋ: ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ । ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ମଧ୍ୟ ଥିଲେ । ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଜେଡ଼ି ରେ ଯୋଗଦେଲେ । ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ାରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପ୍ରତାପ ଜେନା ।

ବିଜେଡିକୁ ଫେରିବା ପରେ ବିଜୟ କେତନ ସ୍ୱାଇଁଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। ଯେଉଁଠି ଥିଲେ ବି ମାନସିକ ସ୍ତରରେ ନବୀନଙ୍କ ସହ ଥିଲି । ବିଜେପି ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି।

ଦିବ୍ୟକାନ୍ତ ବିଶ୍ଵାଳ, ଉମେଶ ଚନ୍ଦ୍ର ପରିଡା ଙ୍କ ଶତାଧିକ କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ବୋଲି କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା ସୂଚନା ଦେଇଛନ୍ତି। ମିଶ୍ରଣ ଫଳରେ ରାଜନଗର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧିକ ମଜବୁତ ହେବ ବୋଲି କହିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।