ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୮ ଦିନ ଆଗୁଆ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

100

କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟର ପିଠାବଟା ତନଖି ଫାଟକ । କଅଁଳ ଖରା ସାଙ୍ଗକୁ କୋହଲା ପାଗରେ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପ୍ରବେଶ ଅନୁମତି ଅପେକ୍ଷାରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଆଗରୁ ଶିମିଳିପାଳ ଗେଟ୍ ଖୋଲିଛି । ତେଣୁ ଅଭୟାରଣ୍ୟର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ନିଜ ପାଖକୁ । ପ୍ରକୃତି ପ୍ରେମୀ ପର୍ଯ୍ୟଟକ ବନ୍ୟପ୍ରାଣୀଙ୍କ ଗହଣରେ ନିଆରା ମଜା ନେବା ପାଇଁ ଛୁଟି ଆସିଛନ୍ତି । ଏବଂ ପାରମ୍ପାରିକ ନୃତ୍ୟଗୀତ ସହିତ ଫୁଲତୋଡା ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଛନ୍ତି ଶିମିଳିପାଳ କର୍ତୃପକ୍ଷ ।

ଅଭୟାରଣ୍ୟକୁ ୨ଟି ପ୍ରବେଶ ପଥ ରହିଛି । ବାରିପଦା ପିଠାବଟା ଦେଇ ୨୫ଟି ଏବଂ ଯଶିପୁର କାଳିଆଣି ତନଖି ଫାଟକ ଦେଇ ୩୫ଟି ଗାଡି ଭିତରକୁ ଯିବାର ଅନୁମତି ରହିଛି । ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଶିମିଳିପାଳରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com   ୱେବ୍ ସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିପାରିବେ । ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରୀ ଆଦି ସ୍ଥାନରେ ରାତ୍ରୀ ରହଣୀ ବ୍ୟବସ୍ଥା ହୋଇଛି । ଏହାସହ ପର୍ଯ୍ୟଟକଙ୍କୁ ନୂଆ ଅନୁଭିତି ଦେବା ପାଇଁ ଶିମିଳିପାଳ ପର୍ତୃପକ୍ଷଙ୍କ ପକ୍ଷରୁ ଜଙ୍ଗଲ ସଫାରୀ ଓ ମାଉଂଟେନ୍ ସାଇକେଲିଂ ବ୍ୟବସ୍ଥା କରାଯାଇଛି ।

୨୭୫୦ ବର୍ଗ କିଲମିଟର ବ୍ୟାପି ଶିମିଳିପାଳ ଜୈବ ମଣ୍ଡଳ ମଧ୍ୟରେ ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଓ ଦେଓ ଭଳି ୧୩ଟି ନଦୀ ବହୁଥିବା ବେଳେ ୪ କିସମର ଜଙ୍ଗଲ ରହିଛି । ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ବରେହିପାଣି, ଜରନ୍ଦା ଓ ଉସ୍କି ଭଳି ମନଲୋଭା ଜଳପ୍ରପାତ ଏବଂ କିରିବୁରୁ ଓ ମେଘାସନି ଭଳି ଦୁଇ ବୃହତ ପର୍ବତ ଶୃଙ୍ଗ । ଶିମିଳିପାଳରେ ୧୦୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତୀର ସରିସୃପ, ୨୩୧ ପ୍ରଜାତୀର ପକ୍ଷୀ ଦେଖାଯାଇଥାନ୍ତି ।