ମେଡିକାଲ କଲେଜରେ ନାମ ଲେଖା ନାଁରେ ସାଇବର ଠକେଇ । ଛାତ୍ରୀଙ୍କୁ ଚୁନା ଲଗାଇଲେ ୧୬ ଲକ୍ଷରୁ ଅଧିକ ଟଙ୍କା । ନିଟରେ ବିଫଳ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ୍ ।

97

କନକ ବ୍ୟୁରୋ: ମେଡିକାଲ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାମାନେ କୋଚିଂ ନେଇଥାନ୍ତି, ନିଟ୍ ପରୀକ୍ଷା ଦେଇଥାନ୍ତି । ନିଟରେ ସଫଳ ହେଲେ, ପାଠ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । କିନ୍ତୁ ନିଟରେ ବିଫଳ ହେଲେ, ମେଡିକାଲ ପାଠ ପଢ଼ି ପାରିନଥାନ୍ତି । ଯାହାର ସୁଯୋଗ ନେଇ ସ୍ପଟ ଆଡମିଶନ ନାଁରେ ଠକ ଛାତ୍ରଛାତ୍ରୀଙ୍କୁ ଲୁଟୁଥିବା ସାମନାକୁ ଆସିଛି ।

  • ମେଡିକାଲ କଲେଜରେ ସ୍ପଟ ଆଡମିଶନ
  • ଠକ ଦେଉଛନ୍ତି ମେଡିକାଲ ସିଟ୍

ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ ପରେ ଠକେଇର ପୂରା କାହାଣୀ ପଦାକୁ ଆସିଛି । ବଲାଙ୍ଗୀର ଭୀମଭୋଇ ସରକାରୀ ମେଡିକାଲ କଲେଜରେ ନାଁ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଠକ । ଅଭିଯୋଗ ଅନୁସାରେ ଠକମାନେ ବରଗଡର ଜଣେ ଛାତ୍ରୀଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଆଡମିଶନ କରାଇ ଦେବାକୁ କହି ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଭୀମଭୋଇ ମେଡିକାଲ କଲେଜ ନାଁରେ ଏକ ମେଲ କରିଥିଲେ । ଯାହାକୁ ବିଶ୍ୱାସ କରି ଛାତ୍ରୀଙ୍କ ଅଭିଭାବକ ୧୬ଲକ୍ଷ ଟଙ୍କା ଦେଇଥିଲେ । ହେଲେ, ନାଁ ଲେଖାଇବାକୁ ମେଡିକାଲ କଲେଜରେ, ପହଁଚିବାବେଳକୁ କର୍ତୁପକ୍ଷ ଏସବୁ ଫେକ୍ ବୋଲି କହିଥିଲେ । ଆଉ ଠକେଇର ଶିକାର ହୋଇଥିବା ଜାଣିବା ପରେ ଛାତ୍ରୀଙ୍କ ସମ୍ପର୍କୀୟ ବଲାଙ୍ଗୀର ସାଇବର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା ବଲାଙ୍ଗୀର ପୋଲିସ । ଆଉ ତଦନ୍ତ ପରେ ଜଣାପଡିଥିଲା କିଛି ଠକ୍ ମେଡିକାଲ କଲେଜରେ ନାମ ଲେଖିବାକୁ ନିଟ୍ ପରୀକ୍ଷାର୍ଥୀଙ୍କୁ ଟାର୍ଗେଟ କରୁଛନ୍ତି । ବିଶେଷକରି ଯେଉଁମାନଙ୍କର ନିଟ୍ ର୍ୟାଙ୍କ ତଳେ ରହିଛି, ସରକାରୀ ମେଡିକାଲ କଲେଜରେ ସିଟ୍ ମିଳୁନି ସେହିମାନଙ୍କୁ ଟାର୍ଗେଟ କରୁଥିଲେ ଏହି ଠକ । ଏହି ମାମଲାରେ ସାଇବର ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି । ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ, ନଗଦ ୧ଲକ୍ଷ ୯୦ହଜାର ଟଙ୍କା, ୬ଟି ଡେବିଟ୍ କାର୍ଡ ଓ ୪ଟି ସିମ୍ କାର୍ଡ ସହ ବହୁ ଜାଲ୍ କାଗଜପତ୍ର ଜବତ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଭୀମଭୋଇ ମେଡିକାଲ କଲେଜ ନାଁରେ ନୁହେଁ, ବାରିପଦା ଓ କୋରାପୁଟରେ ସ୍ପଟ୍ ଆଡମିସନ କରି ନାମଲେଖାଇ ଦେବାକୁ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲେ ଏହି ଠକ । ତେବେ ଏହି ଠକଙ୍କ ଜାଲରେ ଆଉ କିଏ ଫସିଛନ୍ତି କି ନାହିଁ ତାହା ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ।