ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି, ବିରୋଧୀଙ୍କର କଥା ବେଶି, କାମ କମ୍‌ । ବୌଦ୍ଧ, ସୋନପୁର ଓ ବୀରମହାରାଜପୁରରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ । 

97
କନକ ବ୍ୟୁରୋ :  ବିଜେଡି ନେତା ପାଣ୍ଡିଆନ ଆଜି ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଧୂଆଁଧାର ପ୍ରଚାର କରିଛନ୍ତି ।  ବୌଦ୍ଧରେ ବିପୁଳ ଜନସମାବେଶକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,  ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି । ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ ।
ବୌଦ୍ଧ ଜିଲ୍ଲାର ପୁରୁଣା କଟକକୁ ଏନଏସି ଓ ବୌଦ୍ଧକୁ ପୌରାଞ୍ଚଳ ମାନ୍ୟତା ଦିଆଯାଇଛି । ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି ।

ସେହିଭଳି ବୀରମହାରାଜପୁରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ପାଣ୍ଡିଆନ କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ନିଜ ପରିବାର ଭାବେ ଭାବନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କଥା କମ୍‌, କାମ ବେଶି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରିଚୟ। ମୁଖ୍ୟମନ୍ତ୍ରୀ ସବୁବେଳେ ବନ୍ୟା, ବାତ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ଓଡିଶାବାସୀଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ କେବଳ ଭୋଟ ପାଇଁ ଓଡିଶା ଆସନ୍ତି । ବଡ ବଡ କଥା କୁହନ୍ତି। କିନ୍ତୁ କାମ ଘର ଶୂନ । କଥା ବେଶି କାମ କମ୍‌ – ହେଉଛି ବିରୋଧୀଙ୍କ ପରିଚୟ। ଭୋଟ ପାଇଁ ସେମାନେ ଆସନ୍ତି। ୫ ବର୍ଷରେ ଥରେ ଆସନ୍ତି। ଘୋଡା ଦେବୁ, ହାତୀ ଦେବୁ କୁହନ୍ତି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବେ ବୋଲି କୁହନ୍ତି। କିନ୍ତୁ, ଭୋଟ ସରିଲେ ସବୁ ଭୁଲିଯାନ୍ତି । ବିଜେପି ଦଳର ନିର୍ବାଚନୀ ପ୍ରତିଶୃତି ସଂପର୍କରେ ସ୍ମରଣ କରାଇଦେଇ ପାଣ୍ଡିଆନ କହିଥିଲେ ଯେ ଯୁବକଙ୍କ ପାଇଁ  ଦୁଇ କୋଟି ଚାକିରୀ ଓ ଚାଷୀଙ୍କ ପାଇଁ ଧାନର ଏମଏସପି ଦୁଇ ଗୁଣ କରିବା ପ୍ରତିଶୃତି କରିବା କୁଆଡେ ଗଲା ?

ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ନୂଆ-ଓ ବୃତ୍ତି ସଂପର୍କରେ ସୂଚନା ଦେଇ ପାଣ୍ଡିଆନ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କଲେଜ ଯାଉଥିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ  ବୃତ୍ତି ପାଉଛନ୍ତି । ଝିଅମାନେ ୧୦ ହଜାର ଓ ପୁଅମାନେ ୯ ହଜାର ଟଙ୍କା  ପାଉଛନ୍ତି । ଲୋକଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜକୁ ସମର୍ପିତ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି । ତେଣୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ  ବୋଲି ପାଣ୍ଡିଆନ ଅପିଲ କରିଛନ୍ତି ।
ଏହାପରେ ସୋନପୁରର ବିନିକା ଠାରେ ଆୟୋଜିତ ସଭାରେ ଯୋଗ ଦେଇ ପାଣ୍ଡିଆନ କହିଥିଲେ ଯେ ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି । ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ନିର୍ବାଚନ ସରିଗଲେ ବିରୋଧୀ ଦଳଙ୍କୁ ଆପଣ ଖୋଜିଲେ ବି ପାଇବେ ନାହିଁ । କିନ୍ତୁ ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ। ସେ କହିଥିଲେ ଯେ ଡୁଙ୍ଗୁରିପାଲ୍ଲୀ ଓ ରାମପୁରକୁ ଏନଏସିର ମାନ୍ୟତା ଦିଆଯାଇଛି । ନିରଞ୍ଜନ ପୂଜାରୀ ବହୁତ ଦକ୍ଷତାର ସହ କାମ କରିଥାନ୍ତି। ତାଙ୍କ କାମ କରିବାର ଉଦାହରଣ ସୋନପୁରର ଜିଲ୍ଲା ହସ୍ପିଟାଲ । ତେଣୁ ଏଥର ପୁଣିଥରେ ବିଜେଡିକୁ ଭରସିବାକୁ ପାଣ୍ଡିଆନ ସୋନପୁରବାସୀଙ୍କୁ ଅପିଲ କରିଥିଲେ ।