ସଂକଳ୍ପପତ୍ରରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସରକାରକୁ ଆସିଲେ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବୁ…

139

କନକ ବ୍ୟୁରୋ: ବିଜେପି ଜାରି କଲା ସଂକଳ୍ପପତ୍ର । ୨୦୨୪ ନିର୍ବାଚନୀ ଇସ୍ତାହାର ଜାରି କଲା ରାଜ୍ୟ ବିଜେପି । ବିଜେପିର ସଂକଳ୍ପପତ୍ର ଉନ୍ମୋଚନ କଲେ ଜେ,ପି ନଡ୍ଡା । ୨୦୨୪ ପାଇଁ ୨୧ଟି ସଙ୍କଳ୍ପ ପତ୍ର ଜାରି କରିଛି ବିଜେପି । ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ଦଳ ।

ସଙ୍କଳ୍ପରେ ବିଜେପି କହିଛି- ଯଦି ଏଥର ସେମାନେ ସରକାର ଗଢନ୍ତି ଆଉ କ୍ଷମତାକୁ ଆସନ୍ତି ତେବେ ଶ୍ରୀମନ୍ଦିରର ଭକ୍ତଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଚାର କରିବ । ଅର୍ଥାତ ରାଜ୍ୟ ସରକାରଙ୍କ କୁପରିଚାଳନା ଯୋଗୁ ପୁରୀ ମନ୍ଦିରରେ ହିନ୍ଦୁ ଭକ୍ତଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଚରଣକୁ ଆମ ସରକାର ଆସିବା ମାତେ ବିଚାର କରିବ ବୋଲି କୁହାଯାଇଛି ।

ଏଥିସହ ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଛି ଦଳ । ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ରାଜ୍ୟବାସୀଙ୍କ ନିକଟରେ ପ୍ରକାଶ କରିବାର ସଙ୍କଳ୍ପ ରଖିଛି ବିଜେପି ।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭଙ୍ଗା ଯାଇଥିବା ମଠ ଗୁଡିକ ଯାଥାରିତ କାର୍ଯ୍ୟକ୍ଷମ ହେବା ପାଇଁ ସହାୟତା କରିବାର ପ୍ରତିଶ୍ରୁତି ମଧ୍ୟ ବିଜେପି ରାଜ୍ୟବାସୀଙ୍କ ଆଗରେ ରଖିଛି । ସବୁଠାରୁ ବଡ ସଂକଳ୍ପ ହେଉଛି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ରାଜ୍ୟରେ ଏକ ବଡ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ନିଜ ସଂକଳ୍ପ ପତ୍ରରେ ରଖି ବଡ ମୁଦ୍ଦା କରିଛି ବିଜେପି ।