ସ୍ୱାମୀଙ୍କ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଲେ ସ୍ତ୍ରୀ । ପାଖେ ପାଖେ ରହି ପ୍ରଚାର କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ

3,765

କନକ ବ୍ୟୁରୋ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉଷ୍ମ ହେଉଛି ନିର୍ବାଚନ ପ୍ରଚାର । ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ ପାରଳାଖେମୁଣ୍ଡିରେ ପ୍ରଚାର ମଙ୍ଗ ଧରିଥିବା ବେଳେ ରୋଡ-ସୋ କରିବା ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପୁଷ୍ପାଞ୍ଜଳି ପାଣିଗ୍ରାହୀ ।

କୋରେଇ ରାଜନୀତିରେ ଦମଦାର ଲଢ଼େଇ ଦେଖିବେ ଜନତା । କାରଣ ଏଠାରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ଆକାଶ ଦାସନାୟକ ଏବଂ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଂଗଠନିକ ସଂପାଦର ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ବିଜେଡି ପ୍ରାର୍ଥୀ ସେଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରିନଥିବା ବେଳେ ଆକାଶଙ୍କ ପ୍ରଚାର ଜମୁଛି । ଆକାଶଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ଶୁଭ୍ରଜ୍ୟୋତି ଦାସନାୟକ । ବ୍ୟାସନଗର ପୌରାଂଚଳରେ ମହିଳା କର୍ମୀଙ୍କ ସହ ଘର ଘର ବୁଲି ଭୋଟ ମାଗିଛନ୍ତି ।

ସେହିଭଳି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ ସ୍ତ୍ରୀ । ପିପିଲିରେ ରୁଦ୍ର ମହାରଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ପତ୍ନୀ ଜାଗୃତି ମହାରଥୀ । ପିପିଲି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ସ୍ତ୍ରୀ ଜାଗୃତି ମହାରଥୀ , ମାଆ ପ୍ରତିଭା ମହାରଥୀ ଓ ଭଉଣୀ ପଲ୍ଲବୀ ମହାରଥୀ ଉପସ୍ଥିତ ଥିଲେ । ସେପଟେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରୋହିତ୍ ଜୋସେଫ ତିର୍କୀ । ରୋହିତଙ୍କ ସାଥିରେ ଅଛନ୍ତି ବାପା ଜର୍ଜ ତିର୍କୀ ଓ ସ୍ତ୍ରୀ ପ୍ରୀତି ତିର୍କୀ ।