ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର: ଝାରସୁଗୁଡ଼ାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ

67

କନକ ବ୍ୟୁରୋ: ଦିନ ସାଢ଼େ ୨ଟା ସୁଦ୍ଧା ୬ ସହରର ତାପମାତ୍ରା ୪୦ ଡିଗ୍ରୀ ପାର । ୪୪ ସହ ଝାରସୁଗୁଡ଼ା ସବୁଠୁ ଉତପ୍ତ ସହର । କେନ୍ଦୁଝରରେ ୪୩ ଡିଗ୍ରୀ, ସମ୍ବଲପୁରେ ୪୨.୭, ରାଉରକେଲାରେ ୪୨.୨ ହୀରାକୁଦରେ ୪୧.୮ ଏବଂ ଚାନ୍ଦବାଲିରେ ୪୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରେ ପାରଦ ୩୯.୯ ଡିଗ୍ରୀ ଥିବା ବେଳେ ଆଦ୍ରତା ୫୪ ଡିଗ୍ରୀ ରେକର୍ଡ କରାଯାଇଛି । ଯେଉଁଥିପାଇଁ ହିଟ୍ ଇଣ୍ଡେକ୍ସ ୫୭ ଡିଗ୍ରୀ ରହିଛି । ସେହିପରି ବାଲେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ ଥିବା ବେଳେ ଆଦ୍ରତା ୬୫ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ୱରରେ ହିଟ୍ ଇଣ୍ଡେକ୍ସ ୬୪ ଡିଗ୍ରୀ ରହିିଛି । ତେବେ କାଲିଠୁ ପାଗରେ ଆସିବ ପରିବର୍ତନ । ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖରା କମିବା ସହ ବର୍ଷାର ପରିମାଣ ବଢ଼ିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ସତର୍କ କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ତାରିଖରେ ୬ ଜିଲ୍ଲାକୁ କାଳବୈଶାଖୀ ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ୭ ତାରିଖରେ ୨୦ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ବଜ୍ରପାତ ସହ ପବନର ବେଗ ମଧ୍ୟ ୩୦ରୁ ୫୦ କିଲୋମିଟର ରହିବାର ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତି ରହିବ । ଏହାକୁ ଦୃଷ୍ଟିରେ ରଖି ୬ରୁ ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଯଦିଓ ଆସନ୍ତାକାଲି ଠାରୁ ପାଗ ବଦଳିବ, କିନ୍ତୁ ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ଲହରୀ ଜାରି ରହିବ । ବୌଦ୍ଧ, ନୂଆପଡ଼ା, ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝରରେ ଜାରି ରହିବ । ଏପରିକି ୨୪ ଘଂଟା ପାଇଁ କିଛି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ଆଜି କିମ୍ବା ଆସନ୍ତାକାଲି ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ୭ ତାରିଖରୁ ବର୍ଷାର ପରିମାଣ ବଢ଼ିବା ସହିତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।