ଓଡ଼ିଶାରେ ବିଜେପିର ସଂକଳ୍ପପତ୍ର ଜାରି କଲେ ଜେପି ନଡ୍ଡା । କହିଲେ, ଜଗନ୍ନାଥଙ୍କ ଭରସାରେ ଚାଲିଛି ଓଡ଼ିଶା, ସରକାରକୁ ଆସିଲେ ୧୮ ମାସରେ ଫେରାଇବୁ ଚିଟଫଣ୍ଡ ଟଙ୍କା ।

77

କନକ ବ୍ୟୁରୋ : ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି, ଓଡ଼ିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି । ବିଜେପି ଆଜି ଯେଉଁ ସଂକଳ୍ପ ପତ୍ର ଜାରି କରିଛି ତାହାକୁ ପୂରା କରିବାକୁ ଇସ୍ତାହାର କ୍ୟାବିନେଟ ଗଠନ କରିବ । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ନିଜର ପ୍ରତିଶ୍ରୁତି ପୂରା କରିନି, କ୍ଷେତକୁ ପାଣି ଯାଉନି, ଓଡ଼ିଶାରେ କୃଷକଙ୍କର ଆୟ କମ ଅଛି । ଓଡ଼ିଶାରେ ଦାଦନ ଅଧିକ ଅଛନ୍ତି, ସବୁ ଘରେ ଦାଦନ ଗୁଂଜୁଛି, ହେଲେ ସରକାରଙ୍କୁ ଏହାର ଚିନ୍ତା ବି ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି ।

ଏହାସହ ଜେପି ନଡ୍ଡା କହିଛନ୍ତି, ମହିଳା ବିରୋଧୀ ଅପରାଧରେ ଓଡିଶା ୧ ନମ୍ବର ଅଛି । ମହିଳା ବିରୋଧୀ ଅପରାଧରେ ବିଜେଡି ନେତା ସମ୍ପୃକ୍ତ ଅଛନ୍ତି । ୪୫ ବିଜେଡି ବିଧାୟକ ସମ୍ପୃକ୍ତ ଅଛନ୍ତି । ଓଡିଶା ବାସୀ ସବୁଠୁ ଅଧିକ ବିଦ୍ୟୁତ ଶୁକ୍ଳ ଦେଉଛନ୍ତି କିନ୍ତୁ ବିଦ୍ୟୁତ ଅଭାବରୁ ଶୀତଳଭଣ୍ଡାର ବନ୍ଦ ହୋଇଯାଉଛି । ରାଜ୍ୟରେ ଦୁର୍ନୀତିର ସ୍ଥାନ ରହିବନି । ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳ ନୀତି ଆପଣାଇବ ବିଜେପି । ସରକାରକୁ ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ନଡ୍ଡା ।