ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି ରୋଗୀ

82

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇରେ ରହିଛି ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର । ରାତି ପାହିଲେ ଆଳି, ରାଜନଗର, ମହାକାଳପଡା, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଳକର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାରେ ଭିଡ ଲଗାନ୍ତି । ହେଲେ ଏଠାରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ମିଳେନାହିଁ । ରୋଗୀଙ୍କୁ ଘଂଟ ଘଂଟା ଧରି ଧାଡିରେ ଠିଆ ହେବାକୁ ପଡେ । ଆଉ ଏସବୁର ମୁଖ୍ୟ କାରଣ ହେଉଛି, ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ।

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୩ଟି ଡାକ୍ତର ପଦବୀ ରହିଛି । ୮ଟି ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି । ହେଲେ ଏବେ ଡାକ୍ତରଖାନାରେ ୨ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହ ୭ ଜଣ ଡାକ୍ତର ରହିଛନ୍ତି । ଶିଶୁ, ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୂତି ପରି ଗୁରୁତ୍ୱପୁର୍ଣ୍ଣ ବିଭାଗ ଫାଙ୍କା ପଡିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରର ନୀରିକ୍ଷକ ହୋଇଥିବାରୁ ସେ ରୋଗୀ ଦେଖୁନାହାନ୍ତି । ଆଉ ୮ ଜଣ ଏଠାରେ ନିଯୁକ୍ତି ପାଇବା ପରେ ପିଜି କରିବାକୁ ଯାଇଛନ୍ତି । ସେପଟେ ଜିଲ୍ଲାପାଳଙ୍କ ସେହି ଚିରାଚରିତ ଉତର ପଦକ୍ଷେପ ନିଆଯିବ ।

ଘର ପାଖ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ଆବଶ୍ୟକୀୟ ଚିକିତ୍ସା ମିଳୁନାହିଁ । ତେଣୁ ସାମାନ୍ୟ କିଛି ଅସୁବିଧା ହେଲେ ବି ଅଧିକ ଖର୍ଚ କରି ବାହାରକୁ ଚିିକିତ୍ସା ପାଇଁ ଯିବାକୁ ପଡୁଛି । ଏହାକୁ ନେଇ ପଟାମୁଣ୍ଡାଇ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଛି ।