ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏପଟେ ବିଜେଡିରେ ଛିଡୁନି ଅଙ୍କକଷା ।

91

କନକ ବ୍ୟୁରୋ: ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ସମସ୍ତଙ୍କ ନଜର ରହିଛି କିଏ ହେବ ବିଜେଡିର ପ୍ରାର୍ଥୀ । ଏ ନେଇ ଦଳର ଘନ ଘନ ବୈଠକ ଚାଲିଛି । ସେପଟେ କଂଗ୍ରେସର ପ୍ରାର୍ଥୀ ଆସନ୍ତାକାଲି ଘୋଷଣା ହେବ । ଦଳ ଏକାଠି ହୋଇ ପ୍ରଚାର କରିବ ଓ ବିଜେଡିକୁ କଡା ଟକ୍କର ଦେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି କଂଗ୍ରେସ । ଆଜି ବିଜେପି ଓ ବିଜେଡିର ନେତା ଧାମନଗରରେ ପ୍ରଚାର କରିଛନ୍ତି ।

  • ଧାମନଗର: ବିଜେଡି-କଂଗ୍ରେସ ପ୍ରାର୍ଥୀ ନେଇ ସସପେନ୍ସ
  • ଚାଲିଛି ଅଙ୍କକଷା, ଛିଡୁନି ଗଣିତ

ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରି ଆଗରେ ଥିବାବେଳେ ଏବେ ବି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ନେଇ ସସପେନ୍ସ ଜାରି ରହିଛି । ବିଶେଷକରି ବିଜେଡି ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର ରହିଛି । ଦଳରେ ଏବେ ବି ବିଚାରବିମର୍ଷ ଜାରି ରହିଛି । ପ୍ରାର୍ଥୀ ଘୋଷଣା ହୋଇନଥିଲେ ବ ପରୋକ୍ଷରେ ପ୍ରଚାର ଆରମ୍ଭ କରିଛି ଦଳ । ଦିନେ ଦୁଇଦିନ ମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି । ଟିକେଟ ଦୌଡରେ ଅଛନ୍ତି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ ଓ ଡାକ୍ତର ସଂଜୟ ଦାସ । ତେବେ ପ୍ରାର୍ଥୀ ଘୋଷଣା ନେଇ କର୍ମୀ ମହଲରେ ବି ଉତ୍କଣ୍ଠା ଲାଗି ରହିଛି ।

୨୦୧୯ ନିର୍ବାଚନରେ ଧାମନଗର ବିଧାନସଭା ଆସନରେ ମାତ୍ର କମ ଭୋଟ ବ୍ୟବଧାନରେ ହାରିଥିଲା ବିଜେଡି । ତେବେ ଉପନିର୍ବାଚନରେ ବିଜେଡିର ବିଜୟ ଧାରା ଅବ୍ୟାହତ ରହିଥିବାରୁ ଏହାକୁ ବଜାୟ ରଖିବାକୁ ବିଜେଡି ସବୁପ୍ରକାରର ଉଦ୍ୟମ ଆରମ୍ଭ କରିଛି ।

  • ମଙ୍ଗଳବାର କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା
  • ନୂଆମୁହଁକୁ ମିଳିବ କି ସୁଯୋଗ?

କଂଗ୍ରେସର ଧାମନଗର ଉପନିର୍ବାଚନ କମିଟିରେ ନାଁ ଚୂଡାନ୍ତ ହୋଇଛି । ଏଆଇସିସିକୁ ନାଁ ପଠାଯାଇଛି । ପଞ୍ଚାୟତ, ବ୍ଲକ, ଏନଏସି ସ୍ତରରୁ ନାଁ ଆସିଛି । ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିକୁ ହିଁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ସଙ୍କେତ ଦେଇଛି । ଦଳ ଏକାଠି ହୋଇ ଲଢିବ ଓ ବିଜେଡିକୁ ଟକ୍କର ଦେବ ବୋଲି ପିସିସି ସଭାପତି କହିଛନ୍ତି । କଂଗ୍ରେସରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ହେଉଛି । ବାବା ହରେକଷ୍ଣ ସେଠୀ ଓ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଟିକେଟ ଦୌଡରେ ଅଛନ୍ତି । ବିଜେପି ପକ୍ଷରୁ ସମୀର ମହାନ୍ତି ଧାମନଗରରେ ପ୍ରଚାର କରିଥିବା ବେଳେ ବିଜେପି ମଧ୍ୟ ଏଠାରେ ଜିତିବ ବୋଲି ଦୃଢୋକ୍ତି କରିଛି । ତେବେ ଉପନିର୍ବାଚନ ପାଇଁ ଧାମନଗରରେ ନିର୍ବାଚନୀ ମାହୋଲ ଜମିଆସିଲାଣି । ଏବେ ଅପେକ୍ଷା ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ।