ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କାଲିଠୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ ।

90

କନକ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଆସନ୍ତାକାଲିଠାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି,ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ। ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ପୂର୍ବରୁ www.odishaecoturisim.comରେ ଲଗଇନ୍ କରି ଅନଲାଇନ୍ ମାଧ୍ୟମରେ ବୁକିଙ୍ଗ କରି ରାତ୍ରି ରହଣିର ମଜା ନେଇପାରିବେ ପର୍ଯ୍ୟଟକ । ତେବେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।