ମାନସ ମୃତ୍ୟୁ ମାମଲା : ଅଧା ସାମ୍ନାକୁ ଆସିଛି, ଅଧା ବାକି ଅଛି । ସବୁ ସତ ସାମ୍ନାକୁ ଆଣିବାକୁ ଶର୍ମିଷ୍ଠା ଓ ଝୁନାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

83

କନକ ବ୍ୟୁରୋ : ମାନସ ସ୍ୱାଇଁ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନାଙ୍କୁ ମଧ୍ୟ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି କୋର୍ଟ । ମାନସ ମୃତ୍ୟୁ ମାମଲାରେ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି ।

ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।