ମାନିଲେ ଶରଦ ପାୱାର । କହିଲେ, ୨୦୧୪, ୨୦୧୯ରେ ସରକାରରେ ସାମିଲ ହେବାକୁ ବିଜେପି ସହ ଚର୍ଚ୍ଚା କରିଥିଲି, କିନ୍ତୁ… ।

319

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଆଗକୁ କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଅନେକ ଦ୍ୱନ୍ଦ୍ୱରେ । ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ଅଜିତ ପାୱାରଙ୍କ ଗୋଷ୍ଠୀ ଏବଂ ଅନ୍ୟପଟେ ଶରଦ ପାୱାରଙ୍କ ଗୋଷ୍ଠୀ । ଏନସିପି କାହା ଦଖଲକୁ ଯିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନି । ଏସବୁ ଭିତରେ ଜାତୀୟ ଗଣମାଧ୍ୟମକୁ ଶରଦ ପାୱାର ବଡ ବୟାନ ଦେଇଛନ୍ତି । ୨୦୧୪, ୨୦୧୯ ନିର୍ବାଚନ ପରେ ସରକାରରେ ସାମିଲ ହେବାକୁ ବିଜେପି ସହ ଆଲୋଚନା କରିଥିଲି କିନ୍ତୁ ବିଚାରଧାରା ଭିନ୍ନ ହୋଇଥିବାରୁ ଏହି ପ୍ରକ୍ରିୟା ଆଗକୁ ବଢିନଥିଲା । ଗଣତନ୍ତ୍ରରେ କୌଣସି ଦଳ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସବୁଠୁ ବଡ କଥା ହେଲା, ମୁଁ କେବେ ବି ବିଜେପି ସହ ମେଣ୍ଟ କରିନି ।

ଏହାସହ ଶରଦ କହିଛନ୍ତି, ମୁଁ ୮୨ ବର୍ଷ ବୟସରେ ବି କାମ କରିପାରୁଛି । ଏବେ ମୁଁ ବୁଢା ହୋଇନି । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉକ୍ତିକୁ ମନେ ପକାଇ କହିଛନ୍ତି, ନା ମୁଁ ଏବେ ଥକିଛି ନା ଏବେ ଅବସର ନେଇଛି । ମୋତେ ଅବସର ନେବାକୁ କହୁଥିବା ବ୍ୟକ୍ତି କିଏ? ମୁଁ ଏବେ ବି କାମ କରିପାରୁଛି । ଯଦି ଦଳର ସଭାପତି ଭାବେ ମୋର ନିଯୁକ୍ତି ଅବୈଧ ତେବେ ପ୍ରଫୁଲ୍ଲ ପଟେଲ ଓ ଅନ୍ୟ ନେତାଙ୍କ ନିଯୁକ୍ତି ମଧ୍ୟ ଅବୈଧ । ଅଜିତ ଏବଂ ଅନ୍ୟ ନେତା ବିଜେପିର ଇସାରାରେ ମୋ ଉପରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ।

ଅଜିତ ପାୱାରଙ୍କୁ ଟାର୍ଗେଟ କରି ଶରଦ କହିଛନ୍ତି, ଅଜିତଙ୍କୁ ୪ ଥର ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି । ନିର୍ବାଚନ ହାରିବା ପରେ ମଧ୍ୟ ପ୍ରଫୁଲ୍ଲଙ୍କୁ ମନ୍ତ୍ରୀ କରାଯାଇଛି । ଶିବସେନା ସହ ଯଦି ମେଣ୍ଟ କରିପାରୁଛେ ତେବେ ବିଜେପି ସହ କାହିଁକି ନୁହେଁ ବୋଲି ଅଜିତ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ବିଜେପି ଓ ଶିବସେନା ମଧ୍ୟରେ ଫରକ ଅଛି । ଦେଶରେ ଜରୁରୀକାଳୀନ ସ୍ଥିତି ସମୟରେ ଓ ଏହାପରେ ମଧ୍ୟ ଶିବସେନା କଂଗ୍ରେସ ସହ ମେଣ୍ଟ କରିଛି । କିନ୍ତୁ ଆମେ ବିଜେପି ସହ କେବେ ମେଣ୍ଟ କରିନୁ ।

ଶରଦ କହିଛନ୍ତି, ପରିବାର ଭିତରେ ଯାହା ହେଲା ତାହା ମୁଁ ବାହାରେ ପ୍ରକାଶ କରିବିନି । କିନ୍ତୁ ମୋତେ ଖରାପ ଏଥିପାଇଁ ଲାଗୁଛି କାରଣ ଏମାନେ ମୋର ଅତି ଘନିଷ୍ଠ ଥିଲେ । ଏଭଳି ଘଟଣା ମୁଁ ପୂର୍ବରୁ ସାମ୍ନା କରି ସାରିଛି । ପୁଣିଥରେ ପାର୍ଟିକୁ ଛିଡା କରିବି । ନିର୍ବାଚନ ଆୟୋଗରେ କଣ ହେବ ତାହା କୌଣସି ଫରକ ପକାଇବନି । କାରଣ ମୁଁ ତୃଣମୂଳସ୍ତରରେ କାମ କରିବା ଜାଣିଛି ।