କନକ ବ୍ୟୁରୋ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ ଏହି କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ନିଜ ଯାଦୁଗରୀ ସ୍ପିନ ବୋଲିଂ ପାଇଁ ସେ ବେଶ ପରିଚିତ ହୋଇଥିଲେ । ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ୱିକେଟ ନେଇ ସେ ରେକର୍ଡ ମଧ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ଏବେ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ସେନ ୱାର୍ଣ୍ଣ ବଲ ଧରି ବ୍ୟାଟ୍ସମ୍ୟାନଙ୍କ ଆଗରେ ଛିଡା ହେଉଥିଲେ ସେତେବେଳେ ବଡ ବଡ ବ୍ୟାଟ୍ସମ୍ୟାନ ଚିନ୍ତାରେ ପଡିଯାଉଥିଲେ । କାରଣ ତାଙ୍କ ଯାଦୁଗରୀ ସ୍ପିନ ବଲରେ ସେ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇଦେଉଥିଲେ । ଆଉ ତାଙ୍କ ବଲକୁ ବୁଝିବା ବ୍ୟାଟ୍ସମ୍ୟାନମାନଙ୍କ ପାଇଁ କାଠିକର ପାଠ ହୋଇପଡୁଥିଲା । ସେଥିପାଇଁ ତ ସେ ତାଙ୍କ ସ୍ପିନ ବୋଲିଂକୁ ନେଇ ବିଶ୍ୱ ବିଖ୍ୟାତ ହୋଇଥିଲେ ।
୧୯୯୩ ମସିହା ଆସେସ ସିରିଜରେ ଇଂଲଣ୍ଡର ମାଇକ ଗେଟିଂଙ୍କୁ ସେ ଯେଉଁ ବଲରେ ଆଉଟ କରିଥିଲେ, ତାକୁ ଇତିହାସର ଶ୍ରେଷ୍ଠ ବଲ ବୋଲି କୁହାଯାଏ । ଆଉ ସେବେଠୁ ତାଙ୍କ କ୍ୟାରିୟରରେ ନୂଆ ମୋଡ ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆ ପାଇଁ ସେ ଅନେକ ମ୍ୟାଚ ଖେଳି ବଡ ବିଜୟ ମଧ୍ୟ ଦେଇଥିଲେ । ଭାରତ ବିପକ୍ଷରେ ସେ ୧୯୯୨ ମସିହାରେ ଡେବ୍ୟୁ କରିଥିଲେ । ସେହିପରି ୨୦୦୭ ମସିହାରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।
୧୯୯୯ ମସିହାରେ ସେ ଅଷ୍ଟ୍ରେଲିଆ ଦଳର ଉପ ଅଧିନାୟକ ହୋଇଥିଲେ । ହେଲେ ଅଧିନାୟକ ହେବାର ସ୍ୱପ୍ନ ଥିଲେ ମଧ୍ୟ ଏହା କେବେ ସଫଳ ହୋଇପାରିନଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲ ଖେଳିଥିଲେ । ଆଉ ଆଇପିଏଲ ପ୍ରଥମ ସିଜିନରେ ସେ ରାଜସ୍ଥାନ ରୟାଲ୍ସର କମାଣ ସମ୍ଭାଳିଥିଲେ । ଏହାସହ ରାଜସ୍ଥାନକୁ ଆଇପିଏଲର ପ୍ରଥମ ତାଜ ପିନ୍ଧାଇଥିଲେ । ସେ ପ୍ରଥମ ବିଦେଶୀ ଖେଳାଳି ଯିଏ ଅଧିନାୟକ ଭାବେ ଆଇପିଏଲ ଟ୍ରଫି ଜିତିଥିଲେ ।
ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୭୦୮ ୱିକେଟ ନେଇଥିଲେ । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୨୯୩ ୱିକେଟ ହାସଲ କରିଥିଲେ । କେବଳ ଅନ୍ତର୍ଜାତୀୟ ମ୍ୟାଚ ନୁହେଁ ସେ ଆଇପିଏଲରେ ମଧ୍ୟ ନିଜ ଜଲୱା ଦେଖାଇଥିଲେ । ଆଇପିଏଲରେ ୫୫ଟି ମ୍ୟାଚ ଖେଳି ସେ ୫୭ ୱିକେଟ ନେଇଥିଲେ । ଏବେ ତାଙ୍କ ମୃତ୍ୟୁ ସାରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କ୍ରିକେଟ ପ୍ରେମୀ ।