ଉଗାଣ୍ଡା ସଂସଦ ଭବନ ନିକଟରେ ବଡ ଧରଣର ବିସ୍ଫୋରଣ । ଅଳ୍ପ ଦୂରରେ ଥିଲେ ଭାରତୀୟ ଟିମ୍ ।

417

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଉଗାଣ୍ଡାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଉଗାଣ୍ଡାର  ରାଜଧାନୀ କମ୍ପାଲାରେ ଥିବା ସଂସଦ ଭବନ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଖବର ଭାରତ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି କାରଣ ବିସ୍ଫୋରଣସ୍ଥଳର ୧୦୦ ମିଟର ଦୂରରେ ଭାରତୀୟ ପାରା ବ୍ୟାଟମିଣ୍ଟନ ଖେଳାଳୀ ରହିଛନ୍ତି । ତେବେ ବିସ୍ଫୋରଣରେ ଭାରତୀୟ ଖେଳାଳୀ ରହୁଥିବା ହୋଟେଲରେ କୌଣସି ଅସୁବିଧା ହୋଇନଥିବା ଟ୍ୱିଟ୍ କରି ଜଣାଇଛି ଭାରତୀୟ ପାରା ବ୍ୟାଟମିଣ୍ଟନ ସଂଘ । ଏହି ପାରା ବ୍ୟାଟମିଣ୍ଟନ ଟିମରେ ଓଡ଼ିଶା ପୁଅ ପ୍ରମୋଦ ଭଗତ ମଧ୍ୟ ରହିଛନ୍ତି ।

ବିସ୍ଫୋରଣ ପରେ ପ୍ରମୋଦ ଭଗତ କନକ ନ୍ୟୁଜକୁ ସେଠାକାର ସ୍ଥିତି ବାବଦରେ ସୂଚନା ଦେଇଛନ୍ତି  । ପ୍ରମୋଦ କହିଛନ୍ତି, ସମସ୍ତ ଖେଳାଳୀ ହୋଟେଲରେ ସୁରକ୍ଷିତ ଅଛନ୍ତି ।  ଅର୍ନ୍ତଜାତୀୟ ପାରା ବ୍ୟାଡମିଣ୍ଟନ -୨୦୨୧ ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ଭାରତୀୟ ଦଳ ଉଗାଣ୍ଡା ଗସ୍ତରେ ଯାଇଛି । ଗତ କିଛି ଦିନ ପୂର୍ବେ ଉଗାଣ୍ଡାରେ ପହଞ୍ଚିଛି ଭାରତୀୟ ଟିମ୍ । ଏହି ଟିମରେ ପାରା ଅଲିମ୍ପିକ୍ସ ବିଜେତା ପ୍ରମୋଦ ଭଗତ, ମନୋଜ ସରକାର ଓ ଅନ୍ୟ ଖେଳାଳୀ ସାମିଲ ଅଛନ୍ତି ।