କରୋନା ଟିକାର ଦ୍ୱିତୀୟ ଖୋରାକକୁ ନେଇ କଠୋର ହେଲେ ମଧ୍ୟ ପ୍ରଦେଶ ସରକାର, ଦ୍ୱିତୀୟ ଖୋରାକ ନେଇ ନଥିଲେ ମିଳିବନି ରାସନ

518

କନକ ବ୍ୟୁରୋ : ମଧ୍ୟ ପ୍ରଦେଶରେ କରୋନା ଟିକାର ଦ୍ୱିତୀୟ ଖୋରାକ ନେଇନଥିବା ଲୋକଙ୍କ ଉପରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ଖାଦ୍ୟ ଯୋଗାଣ ବିଭାଗ ସରକାରୀ ରାସନ ଦୋକାନରୁ ରାସନ ପାଉଥିବା ହିତାଧିକାରୀ ଯଦି ଟିକାର ଦ୍ୱିତୀୟ ଖୋରାକ ନେଇ ନାହାଁନ୍ତି ତେବେ ତାଙ୍କୁ ରାସନ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି । ସେହିଭଳି ରତଲାମରେ ଟିକା ସାର୍ଟିଫିକେଟ ନଦେଖାଇଲେ ସେଓ ମିଳିବ ନାହିଁ ତ ଇନ୍ଦୋରରେ ବଗିଚାରେ କାମ କରୁଥିବା ଲୋକ ଟିକା ନେଇଥିବାର ସାର୍ଟିଫିକେଟ ନଦେଖାଇଲେ ତାଙ୍କୁ ବଗିଚା ଭିତରେ ପ୍ରବେଶ ବାରଣ କରାଯାଇଛି । ସେହିଭଳି ଇନ୍ଦୋରେ ଟିକାକରଣ ସାର୍ଟିଫିକେଟ ନଦେଖାଇଲେ କୌଣସି ହୋଟେଲରେ ରହିବାର ସୁବିଧା ମିଳିବ ନାହିଁ ବୋଲି କୁହାଯାଇଛି ।

ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ସଂରକ୍ଷଣ ବଭାଗର ମୁଖ୍ୟ ସଚିବ ଫୈଜ ଅହମଦ କିଦବଇ ପୂର୍ବ ସପ୍ତାହରେ ଏଭଳି ଆଦେଶ ଜାରି କରିଛନ୍ତି । ଏହି ଆଦେଶ ମୁତାବକ ରାଜ୍ୟ ସରକାର କୋଭିଡ-୧୯ ଟିକାକରଣ ମାଧ୍ୟମରେ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦେବାର ବ୍ୟବସ୍ଥା କରିଛନ୍ତି । ମଧ୍ୟ ପ୍ରଦେଶରେ ୧.୧୫ କୋଟି ପରିବାରର ୪.୯୦ କୋଟି ଲୋକ ରାସନ ପାଇଥାନ୍ତି । ଅଦେଶରେ କୁହାଯାଇଛି କି,ରାସନ ଦୋକାନ ସଂଚାଳକମାନେ ଟିକାର ଉଭୟ ଖୋରାକ ନେଇ ନଥିବା ଲୋକଙ୍କୁ ରାସନ ଦେବାକୁ ମନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡାଟା ଦେବାପରେ ସେମାନଙ୍କ ନିକଟକୁ ସ୍ଥାନୀୟ ମେଡିକାଲରୁ ସ୍ଲିପ୍ ପଠାଯିବ । ଏହାସହ ଟିକାର ଉଭୟ ଖୋରାକ ନେଇଥିବା ହିତାଧିକାରୀମାନଙ୍କୁ କେବଳ ରାସନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଇନ୍ଦୋର ଜିଲ୍ଲାପାଳ ବି ଟିକାର ଦ୍ୱିତୀୟ ଖୋରାକକୁ ନେଇ କଠୋର ପଦକ୍ଷେପ ନେଇଛନ୍ତି । ଇନ୍ଦୋର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଟିକାର ଦ୍ୱିତୀୟ ଖୋରାକ ନେଇନଥିବା ଲୋକଙ୍କୁ ମେଡିକାଲରେ ଚିକିତ୍ସା ମିଳିବ ନାହିଁ କି ସରକାରୀ ଯୋଜାନାର ଲାଭ ମିଳିବ ନାହିଁ ।