ପୁରୀରେ ଚାଞ୍ଚଲ୍ୟ । ପଏଣ୍ଟ ବ୍ଲାଙ୍କରୁ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ।

ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ହତ୍ୟା କରାଯାଇଥିବା ଚର୍ଚ୍ଚା

166

କନକ ବ୍ୟୁରୋ: ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା । ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ । କୁହାଯାଉଛି ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣା ସହ ଏହି ଗୁଳିମାଡ଼ର ସମ୍ପର୍କ ରହିଛି । କାରଣ ଗୁନ ସିଂହାରୀ ହତ୍ୟା ମାମଲାର ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କ ସମେତ ୮ଜଣଙ୍କୁ ପ୍ରମାଣ ଅଭାବରୁ ଗତ ଜାନୁୟାରୀ ୧୯ତାରିଖରେ ନିର୍ଦ୍ଦୋଷରେ ଖଲାସ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

ପୁରୀରେ ଘଟିଥିବା ଗୁଳିକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ପଷ୍ଟ ଦିବାଲୋକରେ ସହର ମଝିରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ । ଯେଉଁଥିରେ ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଛି ।

ସ୍ଥାନ ଥିଲା ପୁରୀ ବାରବାଟୀ ଜାଗା , ସମୟ ସକାଳ ପ୍ରାୟ ସାଢ଼େ ୧୦ଟା । ସକାଳୁ ସକାଳୁ ପୁରୀ ବାରବାଟୀ ଜାଗାକୁ ଯାଇଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ସେ ଜାଣିନଥିଲେ ସେଠାରେ ଛକି ବସିଥିଲା ମୃତ୍ୟୁ । ତେବେ ସେଠାରେ ଥିବା କିଛି ଯୁବକଙ୍କୁ ଦେଖି ତାଙ୍କ ମନରେ ପାପ ଛୁଇଁଥିଲା । ଭାଇ ନରସିଂହ ପ୍ରତିହାରୀକୁ ଫୋନ କରି ସେହି ସ୍ଥାନକୁ ଆସିବାକୁ ଡାକିଥିଲେ । ତେବେ ଭାଇ ପହଁଚିବା ପୂର୍ବରୁ ତାଙ୍କ ଉପରକୁ ପଏଣ୍ଟ ବ୍ଲାଙ୍କରେ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଛାତିରେ ୨ଟି ଗୁଳି ବାଜିଥିଲା ଏବଂ ମୁଣ୍ଡର ଆରପାର୍ ହୋଇଯାଇଥିଲା ଗୁଳି । ୪ ରାଉଣ୍ଡ ଗୁଳିମାଡ଼ରେ ଟଳି ପଡିଥିଲେ କୃଷ୍ଣଚନ୍ଦ୍ର । କୁହାଯାଉଛି, ଯେଉଁମାନେ ତାଙ୍କ ସହ ବସି କଥା ହେଉଥିଲେ, ହଠାତ୍ ସେହିମାନେ ଚଳାଇଥିଲେ ଗୁଳି ।

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ ନରସିଂହ ଘଟଣା ସ୍ଥଳରେ ପହଁଚିବା ବେଳକୁ ଗୁଳି ମାଡ଼ କରି ଚାଲି ଯାଇଥିଲେ ଦୃର୍ବୃତ୍ତ । ତେବେ ଟାଉନ୍ ଥାନାରେ ଦାୟର କରିଥିବା ଏଫଆଇଆରରେ ନରସିଂହ ଉଲ୍ଲେଖ କରିଛନ୍ତି, ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ଭାଇ କହିଥିଲେ ଟୁଟୁ, କୁନମୁନ, ବାବା ମହାପାତ୍ର ଓ ହରିପଣ୍ଡା ଗୁଳିମାଡ଼ କରିଥିଲେ । ଏତିକି କହି ନିସ୍ତେଜ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । ହସପିଟାଲକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ରକ୍ତ ଜୁଡ଼ୁବୁଡ଼ କାଗଜ, ୩ ହଳ ଚପଲ ଓ ୪ଟି ଖୋକା ଜବତ କରିଛି ଫରେନସିକ୍ ଟିମ୍ ଓ ପୁଲିସ । ୪ଟି ଟିମ୍ ଗଠନ କରିବା ସହ ଜଣକୁ ଅଟକ ରଖି ଘଟଣାର ଛାନଭିନ କରୁଛି ପୁଲିସ ।

  • ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ!
  • କୃଷ୍ଣଚନ୍ଦ୍ର ପ୍ରତିହାରୀ ଥିଲେ ଅନ୍ୟତମ ଅଭିଯୁକ୍ତ
  • ନିର୍ଦ୍ଦୋଷରେ ହୋଇଥିଲେ ଖଲାସ

୨୦୧୨ରେ ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା । ତାଙ୍କୁ ଏହି ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଷଡଯନ୍ତ୍ରକାରୀ ବୋଲି କୁହାଯାଉଥିଲା । ପୋଲିସ ତାଙ୍କୁ ଗିରଫ ବି କରିଥିଲା । ଘଟଣାର ପ୍ରାୟ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ । ତାହାରି ଭିତରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମଧ୍ୟ ଥିଲେ । କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରି ଅଭିଯୁକ୍ତମାନେ ଚାଲି ଯାଉଥିବା ବେଳେ ସେମାନଙ୍କ ଶପଥ ପୂରଣ ହେଲା ବୋଲି କହିଥିବା ଏଫଆଇଆର୍ କପିରେ ଉଲ୍ଲେଖ ରହିଛି ।