ବିଧାୟକ ବିଷ୍ଣୁ ସେଠୀଙ୍କ ବଡ଼ ବୟାନ: କହିଲେ, ବିଜେପିରେ ନାହିଁ ଧର୍ମେନ୍ଦ୍ରଙ୍କ ବିକଳ୍ପ

213

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପରେ ଯଦିଓ ଔପଚାରିକ ଭାବେ କୈାଣସି ସମୀକ୍ଷା ହୋଇ, କାରଣ ଖୋଜାଯାଇନି, ହେଲେ ନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । କାହା ନେତୃତ୍ୱରେ ଦଳ ଲଢିଲେ, ସଫଳତା ପାଇବ ଏବଂ ବିଜେଡିକୁ ଟକ୍କର ଦେଇପାରିବ, ସେନେଇ ଚର୍ଚ୍ଚା ଭିତରେ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଦେଇଛନ୍ତି ବଡ ବୟାନ ।

ଧର୍ମେନ୍ଦ୍ର ଦେଇପାରିବେ ନବୀନଙ୍କୁ ଟକ୍କର?

କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତେ ହେବେ କି ଏକାଠି?

ବିଷ୍ଣୁ ସେଠୀ କହିଛନ୍ତି,

– ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ନାହିଁ, କେହି ଚେହେରା ନାହାନ୍ତି

– ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିର ଗତି ନାହିଁ, ସେହିଁ ବିଜେଡିକୁ ଟକ୍କର ଦେଇପାରିବେ

– କେନ୍ଦ୍ରମନ୍ତ୍ରୀଙ୍କ ଅନୁପସ୍ଥିତି, ବିଜେଡିର ଟଙ୍କା ଖର୍ଚ୍ଚ ପଂଚାୟତ ହାରିବା ପଛର କାରଣ

ବିରୋଧୀ ଦଳ ଉପନେତାଙ୍କ ଏହି ବୟାନ, ରାଜ୍ୟ ବିଜେପିର ଅନ୍ୟ ନେତାଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିବ, ଯେଉଁମାନେ ଦଳର ମଙ୍ଗ ଧରିବାକୁ ଗତ କିଛି ଦିନ ଧରି ଗୋଟିଚାଳନା କରି ଆସୁଥିଲେ । ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ସମସ୍ତେ ମାନି ଦଳକୁ ଆଗକୁ ବଢାଇବାକୁ କାର୍ଯ୍ୟ କରିବେ କି?

ପଂଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଅନେକ ବରିଷ୍ଠ ନେତା ଖୋଲା ମନ୍ତବ୍ୟ ଦେଇ କହିଥିଲେ, ଦଳକୁ ଦୃଢ ନେତୃତ୍ୱ ଦରକାର, ମତାନ୍ତରକୁ ଛାଡି ସମସ୍ତେ ଏକମନ ହୋଇ ଦଳ ପାଇଁ କାର୍ଯ୍ୟ କରିବା ଉଚିତ । ହେଲେ କିଏ ସେହି ନେତୃତ୍ୱ କେହି ମୁହଁ ଖୋଲିନଥିଲେ ।

ଉତରପ୍ରଦେଶ ଦାୟିତ୍ୱରେ ଥିବାରୁ ଧର୍ମେନ୍ଦ୍ର ପଂଚାୟତ ପାଇଁ ପ୍ରଚାର କରିପାରିନଥିଲେ ଏବଂ ଏବେ ସଂସଦ ଚାଲିଥିବାରୁ ପୈାର ନିର୍ବାଚନରେ ସେ ସାମିଲ ହୋଇ ପାରୁନଥିବା ନେଇ ନେତା ବୟାନ ଦେଉଥିବା ବେଳେ, ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଦଳ ଭିତରେ ନେତୃତ୍ୱକୁ ନେଇ ଏକ ଝଡ ବହୁଛି । ଚର୍ଚ୍ଚା ଅନୁସାରେ ପ୍ରଥମ ଥର ସାଂସଦ ହୋଇଥିବା ନେତା, ଦଳ ଛାଡି ବିଜେପି ଆସିଥିବା ନେତା ଏବଂ ଦଳ ସଂଗଠନର ଜଣେ ବଡ ଚେହେରା, ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ମାନିବାକୁ ପ୍ରସ୍ତୁତ ନଥିବାରୁ, ଏକ ବିବାଦୀୟ ସ୍ଥିତି ଦଳ ଭିତରେ ସୃଷ୍ଟି ହୋଇଛି । ବିଷ୍ଣୁ ଦାସଙ୍କ ବୟାନ ପରେ ଏଥିରେ ଆଉ କେଉଁ ନେତା ସ୍ୱର ମିଳାଉଛନ୍ତି କି ନାହିଁ, ତାହା ନିର୍ଦ୍ଧାରଣ କରିବ, ଦଳ ଭିତରେ ଚାଲିଥିବା ବିବାଦ ଆଗକୁ କେଉଁ ମୋଡ ନେବ ।