ଜବତ ହେବ ସାହାରା ଗ୍ରୁପର ବ୍ୟାଙ୍କ ଆକାଉଣ୍ଟ : ୧୫ଦିନ ମଧ୍ୟରେ ସାହାରାକୁ ୬କୋଟି ୪୮ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ

127

କନକ ବ୍ୟୁରୋ : ଜବତ ହେବ ସାହାରା ଗ୍ରୁପର ବ୍ୟାଙ୍କ ଆକାଉଣ୍ଟ । ମାତ୍ର ୧୫ଦିନ ମଧ୍ୟରେ ସାହାରାକୁ ୬କୋଟି ୪୮ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଛି । ଏନେଇ ବଜାର ନିୟାମକ ଭାରତୀୟ ପ୍ରତିବୃତି ବିନିମୟ ବୋର୍ଡ ବା ସେବି କଡା ନିର୍ଦ୍ଦେଶ ଦେଇଛନ୍ତି । ସାହାରା ଗ୍ରୁପ୍ କମ୍ପାନୀ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ, ଏହାର ମୁଖ୍ୟ ସୁବ୍ରତ ରୟ ଏବଂ ଅନ୍ୟମାନଙ୍କୁ ଏ ନେଇ ନୋଟିସ ଜାରି କରିଛି ସେବି ।

ଯଦି କମ୍ପାନୀ ଏହି ଅର୍ଥ ଜମା କରିବାରେ ବିଫଳ ହୁଏ, ତେବେ ଏହାର ସମ୍ପତି ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ନେଇ ସେବି ଚେତାବନୀ ଦେଇଛି । ସେବି ନିର୍ଦ୍ଦେଶରେ ଜୁନ୍ ମାସରେ ସାହାର ଗ୍ରୁପର ଦୁଇଟି କମ୍ପାନୀ, ସାହାରା ହାଉସିଂ ଇନଭେଷ୍ଟମେଂଟ କର୍ପୋରେସନ ଏବଂ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ କର୍ପୋରେସନ ଏବଂ ସୁବ୍ରତ ରୟ, ଅଶୋକ ରୟ, ରବି ଶଙ୍କର ଦୁବେ ଏବଂ ବନ୍ଦନା ଭାର୍ଗବଙ୍କ ଉପରେ ୧୨କୋଟି ଟଙ୍କାର ଜରିମାନା ଲଗାଇଛି । ୨୦୦୮-୦୯ ମଧ୍ୟରେ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ କର୍ପୋରେସନ ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ ଦ୍ୱାରା ଓଏଫଡିସି ଜାରି କରିବାରେ ସେବି ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗ ହୋଇଥିଲା ।

ସାହାରା ଗ୍ରୁପର ବିଭିନ୍ନ ସ୍କିମରେ ନିବେଶ କରିଥିବା ବହୁ ଜମାକାରୀଙ୍କୁ ଏପର୍ଯ୍ୟନ୍ତ ଜମା ଟଙ୍କା ମିଳିନାହିଁ । ଆଉ ଜମା ଟଙ୍କା ଫେରସ୍ତ ଦାବି ନେଇ ବିଭିନ୍ନ ସମୟରେ ଜମାକାରୀମାନେ ଆନ୍ଦୋଳନ କରୁଥିବା ସାମନାକୁ ଆସୁଛି । ଯାହାକୁ ନେଇ ଅଡୁଆରେ ଅଛନ୍ତି କମ୍ପାନୀ ମୁଖ୍ୟ ସୁବ୍ରତ ରୟ । ତେବେ ସେବିର ଚେତାବନୀ ପରେ ସୁବ୍ରତ ରୟଙ୍କ ଅଡୁଆକୁ ବଢ଼ାଇ ଦେଇଛି ।