ଏବେ ବି ଅନ୍ଧ ବିଶ୍ୱାସରେ କିଛି ଲୋକ : ସାରଥୀଙ୍କ କଠଉ ଓ ଫଟୋକୁ କରୁଛନ୍ତି ପୂଜା; ଭିଡିଓ ଭାଇରାଲ୍

63

କନକ ବ୍ୟୁରୋ : ତ୍ମଘୋଷିତ ବାବା ସାରଥୀଙ୍କର ଏବେ ବି କ୍ରେଜ୍ ରହିଛି । ଏବେ ବି ତାଙ୍କୁ ଅନ୍ଧ ଭଳି କିଛି ଲୋକ ବିଶ୍ୱାସ କରୁଛନ୍ତି, ଭଲ ପାଉଛନ୍ତି, ଭଗବାନ ବୋଲି ମାନୁଛନ୍ତି । ତାଙ୍କ ଫଟୋକୁ ଓ କଠଉକୁ ପୂଜା କରୁଛନ୍ତି । ଏ କଥା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କିନ୍ତୁ ଭଦ୍ରକରୁ ଆସିଥିବା ଏହି ଦୃଶ୍ୟରେ ସାରଥୀଙ୍କ ପୂଜା ପାଇଁ କେମିତି ଭିଡ ଜମାଇଛନ୍ତି ଶତାଧିକ ଲୋକ ଦେଖିବାକୁ ମିଳିଛି ।

ଗାଡିରେ ଯାଉଛି ସାରଥୀଙ୍କ ପାଦୁକା, ଆଗରେ ନାଚୁଛନ୍ତି ସାରଥୀଙ୍କ ସମର୍ଥକ । ତୁରି-ମହୁରି, ବାଜା ବଜାଇ, ଫୁଲ ଛିଂଚି ଛିଂଚି ସାରଥୀଙ୍କ ପାଦୁକା ଥିବା ଗାଡିକୁ ବାଟ କଡେଇ ନେଉଛନ୍ତି । ସମସ୍ତଙ୍କ ବେକରେ ପଡିଛି ସାରଥୀ ଲେଖାଥିବା ଉତରୀୟ । ସାରଥୀଙ୍କ ଫଟୋ ଓ ପାଦୁକା ରଖି ପୂଜା କରାଯାଉଛି । ସାରଥୀଙ୍କ ଷ୍ଟାଇଲରେ ଜଣେ ପ୍ରବଚକ ପ୍ରବଚନ ଦେଉଛନ୍ତି । କହୁଛନ୍ତି ମହାଭାରତର ଭଳି ଗୋଟିଏ ଓଳିର ଲଢ଼େଇ ବାକି ରହିଛି । ସାରଥୀଙ୍କ ସତସଂଗରେ ଯେମିତି ତାଙ୍କ ସମର୍ଥକମାନେ ନାଚନ୍ତି, ସେମିତି ଏହି କାର୍ଯ୍ୟକ୍ରମରେ ସମସ୍ତେ ନାଚିଥିବା ଦେଖାଯାଉଛି । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ମହିଳାଙ୍କୁ ଯୌନ ନିର୍ଯାତନା ଓ ଅନୈତିକ ଅର୍ଥ କାରବାର ଅଭିଯୋଗରେ ୨୦୧୫ ଅଗଷ୍ଟ ୮ ତାରିଖରେ ଗିରଫ ହୋଇଥିଲେ ସାରଥୀ । ଜେଲରେ ଦୀର୍ଘ ଦିନ ରହିବା ପରେ ଶେଷରେ ତାଙ୍କୁ ସର୍ତମୂଳକ ଜାମିନ ଦେଇଥିଲେ କୋର୍ଟ । କୋର୍ଟଙ୍କ ସର୍ତ ଅନୁସାରେ ସାରଥୀ କୌଣସି ସ୍ଥାନରେ ସତସଂଗ କରି ପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାରଥୀ ସତସଂଗ କରୁନାହାଁନ୍ତି ସତ କିନ୍ତୁ ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ପାଦୁକା ସତସଂଗ କରୁଛନ୍ତି ।