ସୁଟିଂ ସେଟରେ ହଙ୍ଗାମା: ଚୁକ୍ତି ଅନୁସାରେ ମିଳୁନାହିଁ ଟଙ୍କା? ଅଭିଯୋଗକୁ ଖଣ୍ଡନ କଲେ ଅକ୍ଷୟ ପରିଜା

135

କନକ ବ୍ୟୁରୋ: ସୁଟିଂ ସେଟ୍ ବାହାରେ ଟେଲି କଳାକାରଙ୍କ କରୁଛନ୍ତି ହଙ୍ଗାମା । ଆଉ ଏହି ହଙ୍ଗାମା ହେଉଛି ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ । ଭୁବନେଶ୍ୱର କଂଟାବାଡରେ ସୁଟିଂ ଚାଲିଥିବାବେଳେ କଳାକାରମାନେ ହଙ୍ଗାମା କରିଛନ୍ତି । କଳାକାରଙ୍କ ଅଭିଯୋଗ ହେଲା, ଅଭିନୟ ପାଇଁ ଚୁକ୍ତି କରି ଅକ୍ଷୟ ପରିଜା ୨ ମାସ ଧରି ପାଉଣା ଦେଇନାହାନ୍ତି । ସିନେମା ସମେତ ଏକାଧିକ ଓଡିଆ ଧାରାବାହିକର ପ୍ରଯୋଜନା କରୁଛନ୍ତି ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା । କିନ୍ତୁ ଧାରାବାହିକ ‘ଶାନ୍ତି’ ଓ ‘ତୁ ଆଉ ମୁଁ’ ଧାରାବାହିକର କଳାକାର ଓ ଟେକ୍ନିସିଆନଙ୍କୁ ଟଙ୍କା ଦେଇନଥିବାରୁ କଂଟାବାଡରେ ଅକ୍ଷୟ ପରିଜା ଷ୍ଟୁଡିଅ ବାହାରେ ପହଁଚି ହଙ୍ଗାମା କରିଛନ୍ତି କଳାକାର ଓ ଟେକ୍ନିସିଆନ୍ । କୁହାଯାଉଛି, କିଛି ଲୋକଙ୍କ ସହ କଳାକାରଙ୍କ ଯୁକ୍ତତର୍କ ହୋଇଥିଲା ।

କଳାକାରଙ୍କ କହିବା କଥା ହେଲା, ଚୁକ୍ତି ଅନୁସାରେ ପ୍ରଯୋଜକ ଅକ୍ଷୟ ପରିଜା ପାଉଣା ଦେବା କଥା । କିନ୍ତୁ ନଭେମ୍ବର ମାସରୁ ଟଙ୍କା ମିଳିନାହିଁ । ଆଉ ପ୍ରଯୋଜକ ଧରାଛୁଆଁ ଦେଉନଥିବା ଅଭିଯୋଗ ଆଣିଛନ୍ତି କଳାକାର । ଯଦି ପାଇଣା ନ ମିଲେ ତାହାହେଲେ ଥାନାର ଆଶ୍ରୟ ନେବେ ବୋଲି କଳାକାର ଚେତାବନୀ ଦେଇଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ସେ କହିଛନ୍ତି, ପାଉଣା ଦେବାରେ ୪୮ ଘଂଟା ବିଳମ୍ବ ହୋଇଛି । ୬ ମାସର ପେମେଂଟ ହୋଇଛି । ବ୍ୟାଙ୍କ ଆକାଂଉଟ କୌଣସି କାରଣରୁ ବନ୍ଦ ହୋଇଯାଇଥିବାରୁ ଏଭଳି ସମସ୍ୟା ହୋଇଛି । ଖୁବଶୀଘ୍ର ପାଉଣା ଦିଆଯିବ ।

ପୂର୍ବରୁ ଅକ୍ଷୟ ପରିଜା ବିଭିନ୍ନ କାରଣ ପାଇଁ ବିବାଦରେ ରହିଆସିଛନ୍ତି । ଏବେ ପାଉଣା ନ ମିଳିବା ନେଇ କିଏ ସତ କହୁଛି ଆଉ କିଏ ମିଛ କହୁଛି , ତାହା ଅଳ୍ପ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି ।