‘ସମଲିଙ୍ଗୀ ବିବାହ ମାନସିକ ବ୍ୟାଧି ନୁହେଁ… ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ଅଛି’: ସମଲିିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

458

କନକ ବ୍ୟୁରୋ : ‘ସମଲିଙ୍ଗୀ ବିବାହ ଅନୈତିକ ନୁହେଁ । ପରିବାରରେ ରହିବାକୁ ହେଲେ ମଣିଷକୁ ସର୍ତ୍ତହୀନ ସ୍ନେହ ଶ୍ରଦ୍ଧା ଦରକାର । ଏ ଭଲପାଇବା କାହାଠାରୁ ବି ମିଳିପାରେ । ନିଜ ଜୀବନସାଥୀଠାରୁ ବି । ସେ ଜୀବନସାଥୀ ଜଣକ ସମଲିଙ୍ଗୀ ବି ହୋଇପାରେ । କାରଣ ନିଜର ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛ’ି । ସମଲିଙ୍ଗୀ ବିବାହକୁ ନେଇ ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସମଲିଙ୍ଗୀ ବିବାହକୁ ନେଇ ୧୮ ଜଣ ସମଲିଙ୍ଗୀ ଯୋଡିଙ୍କ ଦ୍ୱାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମେକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ବୋଲି ଦାବି କରି ଆବେଦନ ଦାଖଲ ହୋଇଥିଲା । ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ସହମତି ଓ କିଛି ଅସହମତି ପ୍ରକାଶ ପାଇଛି । ଅବଶ୍ୟ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି । ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଚିନ୍ତାଧାରା ଭିତରେ ସୀମିତ ହୋଇ ରହିନାହିଁ । ଗାଁର ଜଣେ କୃଷକ ଶ୍ରେଣୀର ମହିଳା ମଧ୍ୟ ସମଲିଙ୍ଗୀ ହେବାର ଦାବି କରିପାରେ । କିନ୍ତୁ ସେମାନଙ୍କୁ କୁଳୀନ କୁହାଯାଇପାରିବ ନାହିଁ । କାରଣ ଏହା କୌଣସି ମାନସିକ ବ୍ୟାଧୀ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜିଯାଏଁ ବିବାହର ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ସତୀ ପ୍ରଥାରୁ ଆରମ୍ଭ କରି ବାଲ୍ୟ ବିବାହ ଯାଏଁ ବିବାହର ରୂପ ବଦଳିଛି । ଏହି କ୍ରମରେ ସମଲିଙ୍ଗୀ ବିବାହ ଆଉ ଏକ ପରିବର୍ତ୍ତନ ।

ସୁପ୍ରିମକୋର୍ଟ ଆଇନର ବ୍ୟାଖ୍ୟା କରିପାରେ କିନ୍ତୁ ଆଇନର ବ୍ୟବସ୍ଥା କରିପାରିବ ନାହିଁ । ।ମଣିଷ ଅତି ଜଟିଳ ସମାଜ ଭିତରେ ରହୁଛି । ଯେଉଁଠି ପରସ୍ପର ପ୍ରତି ଭଲପାଇବାକୁ ପ୍ରକାଶ କରିବା ତାର ଏକ ମୌଳିକ ଆବଶ୍ୟକତା । ଏହି ଦୃଷ୍ଟିରୁ ସମଲିଙ୍ଗୀ ସମ୍ପର୍କ ଅନୈତିକ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।