ପୁଣି ଚର୍ଚ୍ଚାରେ ରାଜା ଘର କଳି: ପରିବାର କଳି ବିଜେଡି ତଣ୍ଟିରେ କଣ୍ଟା!

695

କନକ ବ୍ୟୁରୋ: ନିର୍ବାଚନ ଆସିବା ସହ ପୁଣି ଚର୍ଚ୍ଚାକୁ ଆସିଛି ରାଜାଘର କଳି । ବଲାଙ୍ଗୀର ବିଧାନସଭା ଆସନରୁ କଳିକେଶଙ୍କୁ ପ୍ରାର୍ଥୀ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜପରିବାରର ବୋହୁ ତଥା ଅନଙ୍ଗ ଉଦୟଙ୍କ ସାନପୁର ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ । ସେପଟେ ଚାନ୍ଦବାଲି ବିଧାୟକ ବାପି ରାୟଙ୍କ ଅଡ଼ୁଆ ବଢ଼ାଇଛି ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭାଇରାଲ ଭିଡିଓ ।

ମେ’ ୨୦ରେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ପଡିବ ଭୋଟ୍ । ହାତରେ ମାତ୍ର ଆଉ ୧୧ଟା ଦିନ । କିନ୍ତୁ ୟା ଭିତରେ ରାଜାଘର କଳି ରାଜନୀତିକୁ ରୋଚକ ମୋଡ ଦେଇଛି । ବଲାଙ୍ଗୀର ରାଜପରିବାର ଅନଙ୍ଗ ଉଦୟ ସିଂହଦେଓଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି । ଆଉ ସେ ଡ୍ରାମାରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତାଙ୍କ ବୋହୂ ତଥା ଅର୍କେଷ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ମଞ୍ଜରୀ ସିଂହଦେଓ । ଘରୋଇ ହିଂସାର ଅଭିଯୋଗ ଆଣି ରାଜ ପରିବାରକୁ ଘେରିବା ସହ ଯିଏ ତାଙ୍କୁ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଦେଇଛି ସେ ପରିବାରରୁ ନିର୍ବାଚନ ଲଢୁଥିବା ତାଙ୍କ ଦେଢଶୁର କଳିକେଶ ନାରାୟଣ ସିଂହ ଦେଓଙ୍କୁ ଭୋଟ୍ ନଦେବାକୁ ବଲାଙ୍ଗୀରବାସୀଙ୍କୁ ଅନୁରୋଧ କରିଛନ୍ତି ଅଦ୍ରୀଜା ।

ସେପଟେ ନିର୍ବାଚନ ବେଳେ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ ପଛରେ ନରସିଂହ ମିଶ୍ର ଏବଂ ତାଙ୍କ ପୁଅଙ୍କ ହାତ ଥିବା ଇସାରା ଦେଇଛନ୍ତି ଅଦ୍ରୀଜାଙ୍କ ସ୍ୱାମୀ ଅର୍କେଷ ।

ଭୁବନେଶ୍ୱରର ଏକ ଘରୋଇ ମେଡିକାଲରୁ ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ନିଆଁଭଳି ଭାଇରାଲ ହେବା ପରେ ଚାନ୍ଦବାଲି ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ଭିଡିଓରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ତାଙ୍କ ସ୍ୱାମୀ ରଞ୍ଜନ ସାହୁଙ୍କୁ ଦାୟୀ କରିଛନ୍ତି ମାନସୀ । ତେବେ ମାନସୀ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କହିଲେ ତାହା ଏବେ ଚାନ୍ଦବାଲି ରାଜନୀତିର ହଟ୍ ଟପିକ୍ ପାଲଟିଛି ।

ମାନସୀଙ୍କ ସ୍ୱାମୀ ଭଦ୍ରକ ଜୋନ୍ -୨ର ଜିଲ୍ଲା ପରିଷଦ ସଦସ୍ୟ । ସେ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଥିବାବେଳେ ବିଜେଡିର ଶୀର୍ଷ ନେତା ରଞ୍ଜନଙ୍କ ମାନଭଞ୍ଜନ କରିଛନ୍ତି । ଆଉ ଠିକ୍ ଏତିକି ବେଳେ ତାଙ୍କ ସ୍ତ୍ରୀ ମାନସୀଙ୍କ ଧମକଭରା ଭିଡିଓ ଭଦ୍ରକ ରାଜନୀତିରେ ବଡଧରଣର ହଟଚମଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଟୁ-ୱିଣ୍ଡୋ… ବଲାଙ୍ଗୀରର ରାଜାଘର କଳି ହେଉ କି ଚାନ୍ଦବାଲିର ରାଜନୈତିକ ଫ୍ୟାମିଲି ଡ୍ରାମା- ଉଭୟ ଘଟଣା ବଲାଙ୍ଗୀର ଓ ଭଦ୍ରକରେ ବିଜେଡି ତଣ୍ଟିରେ କଣ୍ଟା ହୋଇ ଲାଗିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।