ଅସହ୍ୟ ଗରମ କଲା ଅସ୍ତବ୍ୟସ୍ତ, ବିଦ୍ୟୁତ୍ ସବଷ୍ଟେସନରେ ତାଲା ପକାଇଲେ ସରପଞ୍ଚ ।

180

କନକ ବ୍ୟୁରୋ : ବିଦ୍ୟୁତ୍ ସବଷ୍ଟେସନରେ ତାଲା ପକାଇଲେ ସରପଞ୍ଚ । ପ୍ରଚଣ୍ଡ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ତାତିଛନ୍ତି ରାୟଗଡା ଜିଲ୍ଲା ୭ ଖଣ୍ଡ ଗାଁର ଲୋକେ । ଆଜି ପିପିଲିଗୁଡା ପଞ୍ଚାୟତର ପ୍ରାୟ ୭ ଖଣ୍ଡ ଗ୍ରାମର ଲୋକେ ପିପିଲିଗୁଡା ପଞ୍ଚାୟତର ସରପଞ୍ଚ ରେଣୁକା ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ପିପିଲିଗୁଡା ସ୍ଥିତ ବିଦ୍ୟୁତ୍ ସବଷ୍ଟେସନରେ ତାଲା ପକାଇ ଦେଇଛନ୍ତି । ବିଦ୍ୟୁତ୍ ବିଭାଗ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଲୋକେ ଅଭିଯୋଗ କରିଛନ୍ତି, ବାରମ୍ବାର ବିଦ୍ୟୁଟ୍ କାଟ୍ ଯୋଗୁଁ ଘରେ ରହିବା କଷ୍ଟକର ହୋଇପଡୁଛି । ବଡଆଳୁବାଡି, ପିପିଲିଗୁଡା, ମିରାବାଲି, ଦୁର୍ଗାପାଡୁ, କାରୁବାଇ ଓ ଡାଙ୍ଗଲୋଡି ପଚାଂୟତର ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ୍ ଯୋଗାଇବା ପାଇଁ ୨୦୨୧ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ପିପିଲିଗୁଡା ୩୩/୧୧ କେଭି ସବ ଷ୍ଟେସନ୍ ଉଦଘାଟିତ ହୋଇଥିଲା । ହେଲେ ସବଷ୍ଟେଶନ ଉଦଘାଟନ ହେଲା ପରେ ଲୋକଙ୍କ ସମସ୍ୟା ଦୂର ହେବା ବଦଳରେ ବଢି ଯାଇଛି ।

ଅଘୋଷିତ ବିଦ୍ୟୁତ କାଟ ଫଳରେ ପିଲାଙ୍କ ପାଠ ପଢାରେ ଅସୁବିଧା ହେବା ସହ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ବି କୌଣସି ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ଲୋକେ ସବଷ୍ଟେସନରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।