ସଞ୍ଜୟ ରାୱତଙ୍କ ବଡ ବୟାନ । ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଲଢିଲେ, ହାରିଯିବେ ନରେନ୍ଦ୍ର ମୋଦୀ । ବିଜେପି ପାଇଁ ଏଥର ରାୟବରେଲୀ, ବାରଣାସୀ ଏବଂ ଆମେଥୀ ସିଟ୍ ଲଢେଇ ହେବ କଷ୍ଟକର ।

290

କନକ ବ୍ୟୁରୋ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହରେଇଦେବେ । ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେଲେ ବିଜୟ କେବଳ ପ୍ରିୟଙ୍କା ଗାନ୍ଧୀଙ୍କର ହେବ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏପରି ଦାବି କରିଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାୱତ ।

ତାଙ୍କ କହିବା କଥା, ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢେଇ ହେଲେ ଏହି ଲଢେଇରେ ପ୍ରିୟଙ୍କା ବିଜୟୀ ହେବେ । ତା ସହିତ ଆଗାମୀ ସାଧାରଣ ନିର୍ବାଚନରେ ରାୟବରେଲୀ, ବାରଣାସୀ ଏବଂ ଆମେଥି ସିଟ୍ ଜିତିବା ବିଜେପି ପାଇଁ କଷ୍ଟକର ହେବ ।

ସୂଚନାଯୋଗ୍ୟ ଯେ, ସଞ୍ଜୟ ରାୱତଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ରର୍ବଟ ଭାଦ୍ରା ମଧ୍ୟ ପ୍ରିୟଙ୍କାଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ପାଖରେ ସାଂସଦ ହେବାର ସମସ୍ତ ଯୋଗ୍ୟତା ରହିଛି । ଏଥିପାଇଁ ସେ ହକଦାର ଅଟନ୍ତି । ତେଣୁ ତାଙ୍କୁ ବିଶ୍ୱାସ ଅଛି, କଂଗ୍ରେସ ପାର୍ଟି ଏହାକୁ ନେଇ କିଛି ଯୋଜନା ପ୍ରସ୍ତୁତ କରିବ ।

ସଞ୍ଜୟ ରାୱତ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କରେ ଏପରି କହିବା ସହିତ ସିନେ୍ଧ-ଫଡନାବିସ୍ ସରକାର ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ଏବେ ରାଜ୍ୟରେ ମୃତ୍ୟୁର ତାଣ୍ଡବ ଜାରି ରହିଛି । ସମୃଦ୍ଧି ମହାମାର୍ଗର ଶତାଧିକ ଲୋକ ପ୍ରାଣ ହରାଇଲେ । ଏବେ ଥାଣେରେ ୧୮ ଲୋକଙ୍କ ମୃତ୍ୟୁ ହେଲା । ଯାହାକୁ ନେଇ ସିନେ୍ଧ ସରକାର ଉପରେ ବର୍ଷିଛନ୍ତି ସଞ୍ଜୟ ।