ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କଲା ପୁଲିସ

789

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ବୃନ୍ଦାବନ ସେକ୍ଟର 19ରେ କାରରୁ ଓଡିଆ ଯୁବତୀ ସୁସ୍ମିତା ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁସ୍ମିତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ।

ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବଡ ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ସୁସ୍ମିତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି। ସାଙ୍ଗମାନଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାପାଇଁ ଯାଇଥିବା ବେଳେ ପରେ କାରରୁ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ସେପଟେ ଏହି ମାମଲାରେ ସୁସ୍ମିତାଙ୍କ ବନ୍ଧୁଙ୍କ ମିଛର ପର୍ଦ୍ଦାଫାଶ ହୋଇଛି । ପୁଲିସ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ଦ୍ୱିବେଦୀକୁ ଧାନବାଦରୁ ଗିରଫ କରି ମାମଲା ରୁଜୁ କରିଛି । କେବଳ ବିଷ୍ଣୁ ନୁହେଁ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚରା ଜାରିରହିଛି।

ଯୁବତୀଙ୍କ ଶବ ମିଳିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା। ପରେ ଜଣାପଡିଥିଲା ଯେ କାନପୁର ବାର ଅଞ୍ଚଳର ବିଷ୍ଣୁ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ବୁଧବାର ସେ ପିଜିଆଇ ଅଞ୍ଚଳରେ ନିଜର ଭଡାଘରେ ନିଜର ଜନ୍ମଦିନ ପାର୍ଟି ମନାଇଥିଲା । ଏଥିରେ ବିଷ୍ଣୁ ଏବଂ ତାର ୪ ସାଙ୍ଗ ସାମିଲ ହୋଇଥିଲେ। ପୁଲିସ ବର୍ତ୍ତମାନ ଏହି ୪ ଜଣଙ୍କୁ ହେପାଜତକୁ ନେଇ ତଦନ୍ତ ଜାରିରଖିଛି। ସେହି ପାର୍ଟିରେ ସୁସ୍ମିତା ସାମିଲ ଥିବା ପୁଲିସ ସ୍ପଷ୍ଟ କରିଛି । ସୁସ୍ମିତାଙ୍କ ଶବ ମିଳିବା ପରେ ତାଙ୍କ ବାପା ସୂର୍ଯ୍ୟମଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ପୋଷ୍ଚମର୍ଟମ କରାଯାଇଥିଲା।

ସୁସ୍ମିତାଙ୍କ ପରିବାରରେ ତାଙ୍କ ଛଡା ତାଙ୍କ ବାପା ସୂର୍ଯ୍ୟମଣି, ମାଆ ଏବଂ ସାନଭାଇ ରହିଛି । ସୁସ୍ମିତା ବିଏ ପାସ କରିଥିବା ବେଳେ ଗତ ୧୦ ଦିନ ତଳେ ଚାକିରୀ ମିଳିଥିବା କହି ଘରୁ ବାହାରିଥିଲେ । ନିଜ ସାଙ୍ଗମାନଙ୍କ ସହ ଯାଉଥିବା ମଧ୍ୟ କହିଥିଲେ । ଆଠ ତାରିଖରେ ସେ ନିଜ ମାଆଙ୍କ ସହ କଥା ହୋଇଥିଲେ । ପରିବାରର ଆର୍ଥିକ ସ୍ଥିତ ବହୁତ ଖରାପ ଥିବା ବେଳେ ବାପା ୫ ହଜାର ଟଙ୍କା ଋଣ କରି ଝିଅକୁ ବାହାରକୁ ପଠାଇଥିଲେ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।