ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ମୃତ୍ୟୁ ମାମଲା : ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ଆଜି ସରିବ ରିମାଣ୍ଡ ଅବଧି

ଆଉ ତିନି ଦିନ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ; ଖୋଜା ଚାଲିଛି ଅଶୋକ ଉପାଧ୍ୟାୟାର ସହଯୋଗୀଙ୍କ ତାଲିକା

85

କନକ ବ୍ୟୁରୋ : ଯୋଜାନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ମୃତ୍ୟୁ ମାମଲା । ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ଆଜି ସରିବ ରିମାଣ୍ଡ ଅବଧି । ଏହି ଦୁଇ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚ ବିଶେଷ କିଛି ତଥ୍ୟ ହାସଲ କରିପାରିନାହିଁ । ତେଣୁ ଆଉ ତିନି ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ହେଲେ ଏହି ଦୁଇ ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ଅଶୋକ ଉପାଧ୍ୟାୟାର ସହଯୋଗୀଙ୍କର ତାଲିକା ଖୋଜୁଛି ।

ଘଟଣାଦିନ ରାତିରେ ଅଶୋକ ତା ଗାଁ ବାସୁଦେବପୁରରୁ ଘଟଣାସ୍ଥଳକୁ ଯାଇଥିଲା । ଚକ୍ରପଡ଼ା ଗାଁରେ ଏମିତି କ’ଣ ଘଟିଲା ଯେ, ଅଶୋକ ରାତି ଅଧରେ ବାସୁଦେବପୁରରୁ ଜମାରସୁଆଁ ନଈ ପାଖକୁ ଆସିବାକୁ ପଡ଼ିଲା । ସେହିପରି ଅଶୋକ ଘଟଣାସ୍ଥଳକୁ ଏକା ଆସିଥିଲା, ନା ତା ସହ ଆଉ କିଏ ଆସିଥିଲେ ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ରାତିରେ ଅନ୍ୟ ତିନି ଜଣ ଗାଡିରେ ସେଠାକୁ ଯାଇଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି । ସେମାନେ କିଏ, ସେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।