ଆଜିଠାରୁ ଆହୁରି କୋହଳ ହେବ ସମ୍ବଲପୁର ସହରର କଟକଣା : ଅତ୍ୟାବଶ୍ୟକ ସାମଗ୍ରୀର କିଣାବିକା ପାଇଁ ସାଢ଼େ ୮ ଘଣ୍ଟାର ମିଳିବ ସମୟ

110

କନକ ବ୍ୟୁରୋ : ସ୍ୱାଭାବିକ ହେଉଛି ସମ୍ବଲପୁର ସହର । ବଦଳୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ କଟକଣାକୁ ଆହୁରି କୋହଳ କରିଛି ଜିଲ୍ଳା ପ୍ରଶାସନ । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଆଜିଠାରୁ ସହରବାସୀଙ୍କୁ ସାଢ଼େ ୮ ଘଣ୍ଟାର ସମୟ ମିଳିବ । ସକାଳ ୭ଟାରୁ ଦିନ ଗୋଟାଏ, ୬ଘଣ୍ଟା ଏବଂ ଦିନ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା, ଅଢ଼େଇ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । ତେବେ ଆବଶ୍ୟକତା ଥିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ଶେଷ ହେଉଛି । ତେଣୁ ଆଜି ଜଣାପଡ଼ିବ, ଇଣ୍ଟରନେଟ୍ ସେବା ବନ୍ଦ ରହିବ ନା’ ଆଗକୁ ସେବା ସ୍ୱାଭାବିକ ହେବ । ଦୀର୍ଘ ୫ ଦିନ ଧରି ଇଣ୍ଟରନେଟ୍ ସେବାରୁ ବଞ୍ଚିତ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପଟେ ସମ୍ବଲପୁର ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛି ପ୍ରଶାସନ । ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ଗୋଟିଏ ପଟେ ଘନଘନ ବୈଠକ ବସୁଛି ।

ପୁଲିସ୍ ପହରା ଭିତରେ ରହିଛି ସମ୍ବଲପୁର ସହର । ସହରର ହିଂସାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କିନ୍ତୁ ନୋ-ଟଲରାନ୍ସ ନୀତି ଆପଣାଇଛି ଜିଲ୍ଳା ପ୍ରଶାସନ । ୧୨ ତାରିଖ ପଥରମାଡ଼ ଘଟଣାରେ ଆଉ ୩ଜଣଙ୍କୁ ଗିରଫ କରିଛି ପୁଲିସ୍ । ସେହିପରି ୧୪ ତାରିଖ ଦୋକାନ ଭଙ୍ଗାରୁଜା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୮୫କୁ ଛୁଇଁଛି । କେବଳ ସେତିକି ନୁହେଁ ସିସିଟିଭି ଓ ଭିଡିଓ ଫୁଟେଜ୍ ଆଧାରରେ ଆଉ କିଛି ଲୋକଙ୍କୁ ଚିହ୍ନଟ କରିଛି ସମ୍ବଲପୁର ପୁଲିସ ।