ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ନାଟୋକୁ ଋଷର ଚେତାବନୀ । ବେଲାରୁସରେ ପରମାଣୁ ଅସ୍ତ୍ର ନିୟୋଜିତ କରିବେ ପୁଟିନ୍

166

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗୋଟିଏ ବର୍ଷରୁ ଅଧିକ ହୋଇଥିବା ବେଳେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏକ ବଡ ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି କି, ଏବେ ଋଷ ବେଲାରୁସ ଠାରେ ପରମାଣୁ ଅସ୍ତ୍ର ନିୟୋଜିତ କରିବ । ଏହା ନ୍ୟୁକ୍ଲିୟର ଟ୍ରିଟ ଆଇନର ଉଲଂଘନ ନୁହେଁ ବୋଲି ପୁଟିନ କହିଛନ୍ତି । ଆମେରିକା ଅନେକ ଦେଶରେ ନିଜର ପରମାଣୁ ଅସ୍ତ୍ର ନିୟୋଜିତ କରିଥିବା କଥା ପୁଟିନ କହିଛନ୍ତି ।

କେବଳ ସେତିକି ନୁହେଁ ପଶ୍ଚିମ ଦେଶ ସହ ବଢୁଥିବା ତିକ୍ତତା ଭିତରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ମାମଲାରେ ନାଟୋକୁ ଚେତାବନୀ ଦେଇଛନ୍ତି ପୁଟିନ୍ । ପୁଟିନ କହିଛନ୍ତି କି ଯେଉଁ ଦେଶମାନେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ।

ସେପଟେ ପୁଟିନଙ୍କର ଏଭଳି ନିଷ୍ପତ୍ତି ଉପରେ ଆମେରିକା ପ୍ରତିକ୍ରିୟ ଦେଇଛି । ଆମେରିକା ତରଫରୁ କୁହାଯାଇଛି କି, ଋଷ ପରମାଣୁ ଅସ୍ତ୍ରର ଧମକ ଦେଉଥିଲେ ବି ଏପର୍ଯ୍ୟନ୍ତ ଏହାର ବ୍ୟବହାର କରିବା ନେଇ ଋଷ ତରଫରୁ କୌଣସି ସଂକେତ ମିଳିନାହିଁ । ଏଣୁ ଆମେରିକା ତରଫରୁ ପରମାଣ୍ଡ ଅସ୍ତ୍ର ବ୍ୟବହାର ନେଇ ଥିବା ଯୋଜନାର କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଇଛି  ।

୧୯୯୦ ପରେ ପ୍ରଥମଥର ଦେଖିବାକୁ ମିଳିଛି କି ଋଷ ଅନ୍ୟ ଏକ ଦେଶରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିବାକୁ ଯାଉଛି । ସେପଟେ ବେଲାରୁସର ମୁଖ୍ୟ ଆଲେକଜାଣ୍ଡାର ଲୁକାଶୈକୋଙ୍କୁ ପୁଟିନଙ୍କ ନିକଟତର ବୋଲି କୁହାଯାଏ । ସେ ଋଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଓ ଡସ୍କନ୍ଦର ମିସାଇଲ ସିଷ୍ଟମକୁ ଇନଷ୍ଟଲ କରିସାରିଛନ୍ତି । ଏହାକୁ ଋଷ ତରଫରୁ ବେଲାରୁସକୁ ୬ମାସ ପୂର୍ବରୁ ପଠାଯାଇଥିଲା ।