ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ । ୨ ଲକ୍ଷ ଶିଶୁଙ୍କୁ ଅପହରଣ କରାଯାଇଥିବା ଜେଲେନସ୍କିଙ୍କ ଦାବୀ

112

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ହୋଇଯାଇଛି । ୟକ୍ରେନର ନାଟୋ ସଦସ୍ୟତାକୁ ନେଇ ଋଷ ଏପରି ଉତ୍ୟକ୍ତ ହୋଇଥିଲା ଯେ ଯୁଦ୍ଧ ଡାକରା ଦେଇଥିଲା । ପରିଣାମତଃ ଫେବୃଆରୀ ୨୪ ତାରିଖ ଠାରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ । ଥରେ ଦୁଇ ଥର ନୁହେଁ ୟୁକ୍ରେନକୁ ମାଟିିରେ ମିଶାଇବା ଯାଏଁଁ ବାରମ୍ବାର ଆକ୍ରମଣ କରିଥିଲା । ତଥାପି ହାର ମାନିନାହାଁନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ବରଂ ନିଜ ଦେଶ ମାଟିରେ ଏବେବି ନିଜକୁ ଦୃଢ କରିରଖିଛନ୍ତି ।

 କେବଳ ଏତିକି ନୁହେଁ ଯୁଦ୍ଧକୁ ୧୦୦ ଦିନ ପୁରିଥିବାବେଳେ ଜେଲେନସ୍କି ଏକ ହୃଦୟବିଦାରକ ତଥ୍ୟ ପ୍ରକାଶ କରିଛନ୍ତି । ‘ଋଷ ସେନା ୟୁକ୍ରେନର ୨ଲକ୍ଷରୁ ଅଧିକ ଶିଶୁଙ୍କୁ ଅପହରଣ କରିନେଇଛନ୍ତି । ଏହା ହେଉଛି ଋଷର ଯୁଦ୍ଧ ଷଡଯନ୍ତ୍ର । କାରଣ ଏପରି କରି ଋଷ ଶିଶୁ ମାନଙ୍କୁ କେବଳ ଅପହରଣ କରିନାହିଁ ବରଂ ସେମାନଙ୍କୁ ନେଇ ଏପରି ପ୍ରଶିକ୍ଷଣ ଦେବ ଯଦ୍ୱାରା ସେମାନେ ନିଜ ଦେଶକୁ ହିଁ ଭୁଲିଯିବେ , ଭବିଷ୍ୟତରେ ଆଉ ଫେରିପାରିବେ ନାହିଁ । ଏହା ଋଷର ଏକ ଅପରାଧିକ ଷଡଯନ୍ତ୍ର’ ବୋଲି ଜେଲେନସ୍କି କହିଛନ୍ତି ।

‘ଏପରି ଅପରାଧ କରିଥିବା ଲୋକଙ୍କୁ ୟୁକ୍ରେନ ନିଶ୍ଚୟ ଦଣ୍ଡ ଦେବ । ଏହା ପର୍ବରୁ ଋଷ ସରକାର ଜାଣିନେଉ ଯେ, କୌଣସି ବି ପରିସ୍ଥିତିରେ ୟୁକ୍ରେନକୁ ଜିତିବା ସମ୍ଭବ ନୁହେଁ । ୟୁକ୍ରେନର ଜନସାଧାରଣ କେବେବି ଆତ୍ମସମର୍ପଣ କରିବେ ନାହିଁ’ ବୋଲି ଜେଲେନସ୍କି ଗଣମାଧ୍ୟମରେ କହିଛନ୍ତି । ତେବେ ଏବେଯାଏଁ ଯୁଦ୍ଧରେ୨୪୩ ଶିଶୁ ପ୍ରାଣ ହରାଇଥିବାବେଳେ ୪୪୬ ଆହତ ହୋଇଛନ୍ତି ।