କୃଷ୍ଣପ୍ରସାଦରୁ ବିଜେପି ନେତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ଏ ଅଞ୍ଚଳର ବିକାଶ ପାଇଁ ଥରୁଟିଏ ମଧ୍ୟ ସିଏମଓକୁ ଯାଇନାହାନ୍ତି ବିଜେପି ବିଧାୟକ ।

145

କନକ ବ୍ୟୁରୋ : କୃଷ୍ଣପ୍ରସାଦରେ ବିଜେଡି ନେତାଙ୍କ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କିଛି ନେତା ଏବେ ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଚିଲିକା ଉପରେ ସେତୁ କରିବାକୁ କହିଥିଲେ । କିନ୍ତୁ ଏଯାଏଁ ଚିଲିକା ଉପରେ ସେତୁଟିଏ ହୋଇପାରିଲାନି । ସେହିଭଳି ୨୦୨୩ରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି, ଚିଲିକା ଉପରେ ସେତୁ ହୋଇପାରିବନି । କିନ୍ତୁ ଏବେ ବିଜେପି ନେତା କହୁଛନ୍ତି ଚିଲିକା ଉପରେ ସେତୁ ହେବ । ବ୍ରହ୍ମଗିରିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ନେତା । ଚିଲିକା ଉପରେ କେବଳ ନବୀନ ହିଁ ସେତୁ ନିର୍ମାଣ କରିପାରିବେ । ମହାନଦୀ ଉପରେ ୭ଟି ସେତୁ ନିର୍ମାଣ ହୋଇଛି । ବୈତରଣୀ ଉପରେ ୫ଟି, ବ୍ରାହ୍ମଣୀ ଉପରେ ସେତୁ ନିର୍ମାଣ ହୋଇଛି । ନକ୍ସଲ ପ୍ରଭାବିତ ମାଲକାନଗିରିରେ ମଧ୍ୟ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଚିଲିକା ଉପରେ ମଧ୍ୟ ନବୀନ ପଟ୍ଟନାୟକ ସେତୁ ନିର୍ମାଣ କରିବେ । କିନ୍ତୁ ଏହି ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାରର ପରିବେଶ ବିଭାଗର ଅନୁମତି ଆବଶ୍ୟକ । କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ମିଳୁନି ।

ଗତ ନିର୍ବାଚନରେ ଏହି ଅଞ୍ଚଳରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ଚିଲିକା ଉପରେ ସେତୁଟିଏ କରିବାକୁ ପ୍ରୟାସ କଲେ ନାହିଁ । କିନ୍ତୁ ନବୀନ କହିଛନ୍ତି, ଚିଲିକା ଉପରେ ସେତୁ ନିର୍ମାଣ ପାଇଁ ଯାହା ବି ଟଙ୍କା ଆବଶ୍ୟକ ଦିଆଯିବ କିନ୍ତୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁରୀ ଦେବା ଆବଶ୍ୟକ ।ପରିବେଶ ମଞ୍ଜୁରୀ ମିଳିବାର ୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ହେବ । ଚିଲିକାର କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କୁ ବିଜେପି ଠକିଚାଲିଛି । ଫୋନି ବାତ୍ୟାରେ କୃଷ୍ଣପ୍ରସାଦ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ଲୋକଙ୍କ ସାଥୀରେ ଛିଡା ହୋଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ଦଳର ନେତାଙ୍କୁ ପଠାଇ ପଞ୍ଚାୟତ ପଞ୍ଚାୟତରେ ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ ।

ଏହାସହ ବିଜେପି ବିଧାୟକ ଲଳିତେନ୍ଦୁଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ବ୍ରହ୍ମଗିରିର ବିକାଶ ପାଇଁ ଏଠାକାର ବିଧାୟକ ମଧ୍ୟ ଥରୁଟିଏ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଗଲେ ନାହିଁ । କିନ୍ତୁ ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟ ବାରମ୍ବାର ସିଏମଓକୁ ଆସି ଅଞ୍ଚଳର ବିକାଶ ପାଇଁ ଲଢେଇ କରିବେ । ସେହିଭଳି ଓଡ଼ିଶାର କୌଣସି ରୋଗୀ ମୁମ୍ବାଇକୁ ଗଲେ ଅରୂପ ପଟ୍ଟନାୟକ ସହଯୋଗ କରିଥାନ୍ତି । ସେଥିପାଇଁ ନିଜ ମାଟିର ସେବା କରିବାକୁ ଅରୂପଙ୍କୁ ବାଛିଛନ୍ତି ନବୀନ । ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସଭିଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପାଇଁ ନିଷ୍ପତ୍ତି ନେବେ । ତେଣୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।