କାଶ୍ମୀରରେ ବିଗିଡିବାରେ ଲାଗିଛି ସ୍ଥିତି : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ୱପର୍ଣ୍ଣ ବୈଠକ

150

କନକ ବ୍ୟୁରୋ : କାଶ୍ମୀରରେ ବିଗିଡିବାରେ ଲାଗିଛି ସ୍ଥିତି । ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏଠାକାର କଶ୍ମୀର ପଣ୍ଡିତମାନେ ନିଜକୁ ସୁରକ୍ଷିତ ମଣୁନଥିବା ସୂଚନା ରହିଛି । ତେଣୁ ବିସ୍ଥାପିତ ହେବାକୁ ଚିନ୍ତା କରୁଥିବା ସୂଚନା ରହିଛି । ଏହାରି ଭିତରେ ଆଜି ଏକ ବୈଠକ ବସିବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଏହି ବୈଠକ କରିବେ । ଏହି ସମୟରେ ଆତଙ୍କବାଦୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇପାରନ୍ତି ।

ଆଜି ବସିବାକୁ ଥିବା ଏହି ବୈଠକ ପୂର୍ବରୁ ଗତକାଲି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି । ଏହି ବୈଠକ ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଧାରା ୩୭୦ ହଟିବା ପରେ ଜମ୍ମୁକଶ୍ମୀରରେ ସ୍ଥିତି ଧୀରେ ଧୀରେ ସୁଧୁରି ଆସୁଥଲା । ହେଲେ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପୁଣି ଥରେ ସ୍ଥିତି ବିଗାଡ଼ିବାରେ ଲାଗିଛି । ବିଶେଷକରି କାଶ୍ମୀର ପଣ୍ଡିତମାନେ ଏବେ ବିପଦରେ । ଆତଙ୍କବାଦୀମାନେ ସେମାନଙ୍କୁ ବାଛି ବାଛି ହତ୍ୟା କରୁଛନ୍ତି । ଗୋଟିଏ ମାସ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ ।

ଗୁରୁବାର କଶ୍ମୀରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି । ଏବେ କାଶ୍ମୀର ପଣ୍ଡିତମାନେ ଭୟଭୀତ ହୋଇ କାଶ୍ମୀର ଛାଡ଼ିବାକୁ ଯୋଜନା କରିଛନ୍ତି । ଏପରିକି ପ୍ରାୟ ୩ ହଜାର ଜମ୍ମୁ ଛାଡି ସାରିଲେଣି । କଶ୍ମୀରରେ ଗତ ୨୨ ଦିନ ହେଲା ଅନନ୍ତନାଗ ସୁରକ୍ଷା କ୍ୟାମ୍ପରେ କଶ୍ମୀରୀପଣ୍ଡିତ ମାନେ ଲଗାତାର ପ୍ରଦର୍ଶନ କରିଆସୁଛନ୍ତି । ନିରାପଦ ଭାବେ ସ୍ଥାନାନ୍ତର କରିବାକୁ ପ୍ରଦର୍ଶନକାରୀ ଦାବି କରିଆସୁଛନ୍ତି ।