ମୌସୁମୀ ଆସିବାରେ ବିଳମ୍ବ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଜଳୁଛି ଆଭ୍ୟନ୍ତୀରଣ ଓଡିଶା, ଉପକୂଳରେ ଗୁଳୁଗୁଳି

197

କନକ ବ୍ୟୁରୋ : ମୌସୁମୀ ଆସିବାରେ ବିଳମ୍ବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିବା ବେଳେ ଉପକୂଳରେ ଦାଉ ସାଧୁଛି ଗୁଳୁଗୁଳି। ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ୯ ସହର ୪୩ ଡିଗ୍ରି ଅତିକ୍ରମ କରିଛି ।

୪୪.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହା ପଛକୁ ବଲାଙ୍ଗୀର ୪୪.୫ ଡିଗ୍ରୀ ଓ ଟିଟିଲାଗଡ଼ ୪୪.୪ ଡିଗ୍ରୀ । ସେହିଭଳି ଝାରସୁଗୁଡ଼ା ୪୩.୪ ଡିଗ୍ରୀ, ସମ୍ବଲପୁର ୪୩.୮ ଡିଗ୍ରୀ, ଭବାନୀପାଟଣା, ମାଲକାନଗିରି ଓ ହୀରାକୁଦ ୪୩.୫ ଡିଗ୍ରୀ, ବରଗଡ଼ ୪୩.୬ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୩ଡିଗ୍ରି ଉପରେ ରହିଥିଲା ।

ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ସମ୍ପୂର୍ଣ୍ଣ ଖରାଟିଆ ଓ ଶୁଖିଲା ରହିବ। ୫ତାରିଖ ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼‌ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଭଦ୍ରକ, ଯାଜପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି।