ପାଣି ପାଇଁ ରାସ୍ତାରୋକ ।  ପିଇବା ପାଣି ପାଇଁ ହଟହଟା ୩୦ ପରିବାର  ।

57

କନକ ବ୍ୟୁରୋ: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ  । ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଦେଉଳା ଗ୍ରାମର ହରିଜନ ସାହିର ଲୋକେ  । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷଗୁମୁଡ଼ା ବ୍ଲକ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି  । ଗ୍ରାମର ହରିଜନ ସାହିରେ ପ୍ରାୟ ୩୦ଟି ପରିବାର ଥିବା ବେଳେ ସାହିବାସିନ୍ଦାଙ୍କ ପାଇଁ ଏକ ମାତ୍ର ନଳକୂପ ଅଛି ।  ତାହା ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇପଡିଛି  ।

ଅନ୍ୟପଟେ ଗାଁରେ ଥିବା ଜଳଯୋଗାଣ କେନ୍ଦ୍ରରୁ କେବଳ ସକାଳେ ହିଁ ଅଳ୍ପ କିଛି ସମୟ ପାଇଁ ହିଁ ଜଳଯୋଗାଣ କରାଯାଉଥିବାରୁ ଅଳ୍ପ ସମୟ ମଧ୍ୟରେ ସମସ୍ତ ସାହି ବାସିନ୍ଦାଙ୍କୁ ପାଣି ଯୋଗାଇବା ସମ୍ଭବପର ହୋଇପାରୁନାହିଁ  । ଫଳରେ ପିଇବା ପାଣି ପାଇଁ ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନଦୀ ଠାରୁ ପାଣି ସଂଗ୍ରହ କରୁଛନ୍ତି  । ଦୀର୍ଘ ଦିନ ଧରି ଲାଗିରହିଥିବା ସାହିର ଏହି ପାନୀୟ ଜଳ ସମସ୍ୟା ର ସମାଧାନ ନେଇ ଅନେକ ଥର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଙ୍କ ନିକଟରେ ଗୁହାରି କରିଛନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନାହିଁ  । ତେଣୁ ସେମାନେ ରାସ୍ତାରୋକ କରିଛନ୍ତି ।