ବଢୁଛି ତାପମାତ୍ରା: ମାର୍ଚ୍ଚ ଶେଷ ସପ୍ତାହରୁ ହିଟ୍ ୱେଭ୍ ପରିସ୍ଥିତି! ୩ ମାସ ଧରି ଆକାଶରୁ ବର୍ଷିବ ନିଆଁ!

931

କନକ ବ୍ୟୁରୋ: ଦିନର ସର୍ବୋଚ୍ଚ ତାପମାତ୍ରା ବଢି ଚାଲିଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଆଗକୁ ଆହୁରି ଅସମ୍ଭାଳ ହେବ ସ୍ଥିତି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହୋଇପାରେ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ସନ୍ତୁଳି ହେବେ ଲୋକ । ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ପର୍ଯ୍ୟନ୍ତ ଡହ ଡହ ଖରାରେ ସିଝିପାରେ ଓଡ଼ିଶା ।

ମାର୍ଚ୍ଚ ମାସ ଆରମ୍ଭରୁ ସକାଳ ୧୦ଟା ପରେ ବାହାରକୁ ବାହାରିଲେ ଅସହ୍ୟ ଗରମ ଅନୁଭୂତ ହେଉଛି । ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ବହୁଥିବାରୁ ତାପମାତ୍ରା ବଢିବାରେ ଲାଗିଛି ।

ଏବେ ଠାରୁ ଗ୍ରୀଷ୍ମପ୍ରବାହର କଷ୍ଟ ଦେଖିବାକୁ ମିଳୁଛି । ଗରମରୁ ରକ୍ଷା ପାଇବା ପାଇଁ ତରଭୂଜ ଦୋକାନ, ଲସି ଦୋକାନରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ଛତା ଓ ଗାମୁଛା ଧରି ଘରୁ ବାହାରକୁ ଆସୁଛନ୍ତି ଲୋକ । ମାର୍ଚ୍ଚ ମାସର ଏହି ଦୃଶ୍ୟ ହିଁ ବଖାଣୁଛି ସ୍ଥିତି କେତେ ଗମ୍ଭୀର ହେବାରେ ଲାଗିଛି । ରାଜ୍ୟର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଟପିଗଲାଣି । ଖୁବଶୀଘ୍ର ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।