ଦେଶରେ ବଦଳିବ ଅବସର ବୟସ! ଆମେରିକା, ୟୁରୋପର ମଡେଲ ଉପରେ ବିଚାର କରୁଛନ୍ତି ସରକାର ।

10,227

କନକ ବ୍ୟୁରୋ: ୨୦୪୭ ସୁଦ୍ଧା ଭାରତ ବୟସ୍କ ବହୁଳ ଦେଶ ଭାବେ ଉଭା ହେବ । ସେତେବେଳକୁ ଭାରତରେ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟାରୁ ୧୪ କୋଟିରୁ ଅଧିକ ହୋଇଯିବ । ଫଳରେ ପେନସନ୍ ଫଣ୍ଡ ଉପରେ ଚାପ ବଢିବ । ଏବେ ଇପିଏଫଓର ୬ କୋଟି ସବସ୍କ୍ରାଇବର ଅଛନ୍ତି ଯାହା ଆଗକୁ ଅଧିକ ବଢିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହି ଚାପକୁ କମାଇବାକୁ ଭାରତ ସରକାର ସରକାରୀ ଚାକିରିଆଙ୍କ ଅବସର ବୟସରେ ପରିବର୍ତ୍ତନ କରିବାକୁ ବିଚାର କରୁଥିବା ସୂଚନା ରହିଛି ।

କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ଦେଶରେ କର୍ମଚାରୀଙ୍କ ରିଟାୟରମେଣ୍ଟ ବୟସ ବଢାଇବା ପକ୍ଷରେ ଅଛନ୍ତି । ଇପିଏଫଓ ନିଜ ‘ଭିଜନ୍ ଡକ୍ୟୁମେଣ୍ଟ’ରେ ଏହି ପ୍ରସଙ୍ଗ ଉଠାଇଛିି । ଏଥିପାଇଁ ଅନ୍ୟ ବିକାଶିତ ଦେଶମାନଙ୍କର ମଡେଲ ଉପରେ ବିଚାର କରାଯିବ । ଏହାଦ୍ୱାରା ପେନସନ୍ ସିଷ୍ଟମକୁ ମଜବୁତ୍ କରିବାକୁ ସହଯୋଗ ମିଳିପାରିବ । ଏବେ ଇପିଏଫଓର ୬କୋଟି ସବସ୍କ୍ରାଇବର ଥିବାବେଳେ ୨୦୨୨ ରେ ୧୮ ଲକ୍ଷରୁ ଅଧିକ ନୂଆ ସବସ୍କ୍ରାଇବର ହୋଇଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ବିଚାର କରିବାକୁ ସଙ୍ଗଠନ କହିଛି ।

ଇକୋନୋମିକ୍ ଟାଇମ୍ସର ତଥ୍ୟ ମୁତାବକ, ଦେଶରେ ଅବସର ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି । ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ଅବସର ବୟସ ୫୮ ଥିବାବେଳେ ଡାକ୍ତର ମାନଙ୍କ କ୍ଷେତ୍ରରେ ଏହା ୬୫ ବର୍ଷ ରହିଛି । ତେଣୁ ପେନସନର ବୋଝକୁ ହାଲକା କରିବାକୁ ବିଦେଶର ଅବସର ନୀତିକୁ ବିଚାର କରାଯିବ । ୟୁରୋପୀୟ ୟୁନିଅନରେ ଅବସର ବୟସ ୬୫ ବର୍ଷ ଥିବାବେଳେ ଇଟାଲି ଓ ଡେନମାର୍କରେ ଏହା ୬୭ ବର୍ଷ ରହିଛି । ସେହିପରି ଅମେରିକାରେ କର୍ମଚାରୀଙ୍କ ଅବସର ବୟସ ୬୬ ବର୍ଷ ରହିଛି ।

ଭାରତରେ ଏହିପରି ନିୟମ ଲାଗୁ ହେଲେ କର୍ମଚାରୀଙ୍କ ଅବସର ବୟସ ବଢିବ । ଫଳରେ ଇପିଏଫଓ ଓ ଅନ୍ୟ ଫଣ୍ଡମାନଙ୍କରେ ଅଧିକ ଅର୍ଥ ଜମା ହେବ । ଏହାଦ୍ୱାରା ପେନସନ୍ ସିଷ୍ଟମ ଉପରେ କମ୍ ଚାପ ପଡିବ । ଏହାସହ ମହଙ୍ଗା ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।