ବିଜେପି ଫୋକସରେ ଓଡିଶା : ନଡ୍ଡାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ଗସ୍ତ; ବିଭିନ୍ନ ଜିଲ୍ଲା ଯାଇ କରୁଛନ୍ତି ସମୀକ୍ଷା

136

କନକ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଛନ୍ତି । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ଗତକାଲି ୫ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ଆଜି ଅସୁଛନ୍ତି ଆଉ ୨ ଜଣ କେନ୍ଦ୍ରମନ୍ତ୍ରୀ ।

ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ଚୌବେ ଭୁବନେଶ୍ବର, ଅର୍ଜୁନ ମୁଣ୍ଡା ଯାଜପୁର, ନିତ୍ୟାନନ୍ଦ ରାୟ କଟକ, ବିଶ୍ବେଶ୍ବର ଟୁଡ଼ୁ ମୟୂରଭଞ୍ଜ ଗସ୍ତ କରିଛନ୍ତି । ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ବର ଓ ନିଶିଥ ପରମାଣିକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ମୂଳମନ୍ତ୍ର କରି ଗରିବ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଜାଣିବା ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତ କରୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ହିତାଧିକାରୀ ତାଲିକା, ବଞ୍ଚିତ ହିତାଧିକାରୀଙ୍କ ସମ୍ପର୍କରେ ଅବଗତ ହେବା ସହ ଆଗାମୀ ଦିନରେ ଯୋଜନାକୁ କିପରି ତୃଣମୂଳ ସ୍ତରରେ ପହଞ୍ଚାଯିବ ସେ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ।

୨୦୧୯ ନିର୍ବାଚନ ପରେ ବିଜେପିର ସାଂଗଠନିକ କାର୍ଯ୍ୟ ଶିଥିଳ ପଡ଼ିଯାଇଥିଲା । ତିନିବର୍ଷ ଧରି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିନି । ସେହିପରି, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲ୍‌କୁ ସଂସଦରେ ବିଜେଡି ଅଯାଚିତ ସମର୍ଥ ଦେଇଛି । ଏଥିପାଇଁ ଉଭୟ ଦଳ ବିଭିନ୍ନ ସମୟରେ ସମାଲୋଚନାର ଶିକାର ହୋଇଛନ୍ତି । ଏହାରି ଭିତରେ ଓଡ଼ିଶାରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି ।

ଏପରିକି ୨୦୧୯ ନିର୍ବାଚନରେ ବିଜେପିକୁ ଯେତିକି ସଫଳତା ମିଳିଥିଲା, ପଞ୍ଚାୟତ ନିର୍ବାଚନରେ ତାହା ହୋଇପାରିଲା ନାହିଁ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନଥିଲା। ଯଦି ଏହି ଧାରାରେ ଦଳର ସଂଗଠନ ଚାଲେ, ତେବେ ବିଜେପିକୁ ଆହୁରି ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଦଳୀୟ ମହଲରେ ମତପ୍ରକାଶ ପାଇଥିଲା ।